ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି। ଏହାଦ୍ଵାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ଵପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ଵ ବିଷୟରେ କହିବା ସହ ପଞ୍ଚାୟତ ସେବାର କେନ୍ଦ୍ର ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ। ସାଧାରଣ ଲୋକଙ୍କ ପଖରେ ସମସ୍ତ ସରକାରୀ ସେବା ପହଞ୍ଚାଇବା ସହ ଏଥିରୁ ଯେମିତି କେହି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ।

୫-ଟି ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ୫-ଟି ହେଉଛି ଟେକ୍ନୋଲୋଜି, ଟିମ୍‌ୱାର୍କ, ଟାଇମ, ଟ୍ରାନ୍ସପରେନ୍ସି ବା  ସ୍ଵଚ୍ଛତା ଓ ରୂପାନ୍ତର। ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରିବା ପରାମର୍ଶ ଦେବା ସହ ଏହା ଦ୍ଵାରା ଗାଁ, ପଞ୍ଚାୟତର ପରିବର୍ତ୍ତନ ହେବା ସହ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିବ କହିଥିଲେ। ଜନସାଧାରଣଙ୍କ ଆସ୍ଥା ଓ ଭରସା ଜିତିବା ସହ ନିଜ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶରେ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି । ଏହାଦ୍ଵାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ। ପଞ୍ଚାୟତଗୁଡ଼ିକ ସରକାରଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି କହିବା ସହ ଲୋକଙ୍କ ଅଭିଯୋଗୁଡ଼ିକୁ ପଞ୍ଚାୟତସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଅରୁଣ ସାହୁ ଏହି ଅବସରରେ କହିଥିଲେ।

ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି, ସମାଜସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁଯୋଗ ଦେଇଛନ୍ତି। ଯାହା ଫଳରେ ଓଡ଼ିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି ବୋଲି ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ଵଗତ ଭାଷଣ ଦେଇ ପଞ୍ଚାୟତ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି ବୋଲି କହିଥିଲେ। ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି। ଏହାର ସୁବିନିଯୋଗରେ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Politics #OdishaPolitics #CMNaveenPatnaik #BijuBabuDream #WomenEmpower

Comment