ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ବାଲାଟ ବକ୍ସରେ ସିଲ ହୋଇଛି ପ୍ରାର୍ଥୀମାନଙ୍କ ଭାଗ୍ୟ। ତେବେ ଏଥର ବ୍ରଜରାଜନଗର ଭୋଟରଙ୍କ ମନ କିଏ ଜିଣିଛନ୍ତି ରାତି ପହିଲେ ସ୍ପଷ୍ଟ ହୋଇଯିବ।

ରାତି ପାହିଲେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟର ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପ୍ରାର୍ଥୀମାନଙ୍କ ସ୍ପନ୍ଦନ ବଢ଼ିବାରେ ଲାଗିଛି। ଏହି ଉପନିର୍ବାଚନରେ କିଏ ବାଜିମାରିବ ତାକୁ ନେଇ ଏବେଠାରୁ ଅଙ୍କକଷା ଚାଲିଛି। ଭୋଟ ଗଣତି ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ଇଭିଏମ। ଜୁନ ୩ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ୮ଟା ୩୦ରୁ ଇଭିଏମ୍ ଭୋଟ ଗଣତି ହେବ। ଏଥିପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ଗଣତି ପାଇଁ ୧୪ଟି ଟେବୁଲ ରହିବ ଏବଂ ୨୦ ରାଉଣ୍ଡରେ ଭୋଟ ଗଣତି ହେବ। ଭୋଟ ଗଣତି ପରେ ଅପରାହ୍ଣରେ ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ଭୋଟ ଗଣତି ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣତି ସମୟରେ ସାଧାରଣ ଲୋକଙ୍କୁ ଗଣତି କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ନାହିଁ। ଭୋଟ ଗଣତି କେନ୍ଦ୍ରର ପ୍ରାୟ ୧୦୦ ମିଟର ପରିଧି ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। କେବଳ ପ୍ରଶାସନର ଅନୁମତି ରହିଥିବା ବ୍ୟକ୍ତି ହିଁ କେନ୍ଦ୍ରକୁ ଆସିପାରିବେ।

ଏଥର ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି ସମୟରେ ସ୍ଵତନ୍ତ୍ର ମିଡିଆ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି କେନ୍ଦ୍ରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ଅନୁମତି ମିଳିବ, କିନ୍ତୁ ଦୂରରୁ ଚିତ୍ର ଉତ୍ତୋଳନ ପାଇଁ ଅନୁମତି ରହିଛି।

୨୦୧୯ ମସିହା ବ୍ରଜରାଜନଗର ବିଧାନସଭା ନିର୍ବାଚନ ଅପେକ୍ଷା ଗତ ମେ’ ୩୧ ମାସରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଅଧିକ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର। ପ୍ରାୟ ୭୧.୯୦ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

କଡ଼ା ସୁରକ୍ଷା ମଧ୍ୟରେ କୋଭିଡ ନିୟମ ପାଳନ ମୁତାବକ ଗତ ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ମୋଟ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ବ୍ରଜରାଜନଗର ଭୋଟର। ୨୭୯ଟି ବୁଥରେ ମତଦାନ କରିଥିଲେ ୨,୧୪,୮୭୮ ଜଣ ଭୋଟର।

Tags: #Politics #Election #ByElection #BrajarajnagarByElection #Voting #VoteCounting

Comment