ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ଚାଲିଛି ଘର ସଜଡ଼ା ଉଦ୍ୟମ। ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ସଭାପତି ହେବା ପରେ ଦଳର ନେତା ଏବଂ କର୍ମୀଙ୍କୁ ଏକାଠି କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଚାଲିଛି ନବ ସଂକଳ୍ପ ସମାବେଶ। ଓଡ଼ିଶାରେ ଏହି ଦୁଇଦିନିଆ ସମାବେଶକୁ ଏଆଇସିସି ପକ୍ଷରୁ ଆୟୋଜିତ ଚିନ୍ତନ ଶିବିର ଢାଞ୍ଚାରେ କରାଯାଉଛି।

ଜୁନ ୧ ଏବଂ ୨ ତାରିଖ ଦୁଇଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି କଂଗ୍ରେସର ନବ ସଂକଳ୍ପ  ସମାବେଶ। ଏଥିରେ ନେତା, ବିଧାୟକ, ସାଂସଦ, ବ୍ଲକ, ଜିଲ୍ଲା ସଭାପତି, ସବୁ ସେଲ୍‌ର ମୁଖ୍ୟ, ପୂର୍ବତନ ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ। କିନ୍ତୁ ଦଳର ତିନି ଜଣ ଟାଣୁଆ ନେତା ସାମିଲ ହୋଇନଥିଲେ ସମାବେଶରେ। ଏହାକୁ ନେଇ ରାଜନୈତିକ ମହଲରେ ଜୋରସୋର ଚର୍ଚ୍ଚା ମଧ୍ୟ ହେଲା। ସମାବେଶରେ ଯୋଗ ଦେଇନଥିବା ତୁଙ୍ଗନେତାମାନେ ହେଲେ ବିଧାୟକ ତାରା ବାହିନୀପତି, ମହମ୍ମଦ ମୋକିମ ଏବଂ ରମେଶ ଜେନା। କେବଳ ପ୍ରଥମ ଦିନ ନୁହେଁ ସମାବେଶର ଦ୍ଵିତୀୟ ଦିନରେ ମଧ୍ୟ ଯୋଗ ଦେଲେନି ଏହି ନେତାମାନେ।

ଆସିଲେନି ତାରା, ମୋକିମ ଓ ରମେଶ

ବିଧାୟକ ତାରା ବାହିନୀପତି, ମହମ୍ମଦ ମୋକିମ ଏବଂ ରମେଶ ଜେନା କଂଗ୍ରେସର ନବ ସଂକଳ୍ପ ସମାବେଶରେ ଯୋଗ ଦେଇନାହାନ୍ତି। ଏହି ଘଟଣାକୁ ନେଇ ଦଳ ମଧ୍ୟରେ ହଟଚମଟ ସୃଷ୍ଟି ହେବା ପରେ ମୁହଁ ଖୋଲିଛନ୍ତି ତାରା ବାହିନୀପତି। ଅସୁସ୍ଥତା କାରଣରୁ ତାରା ଦୁଇଦିନିଆ ସମାବେଶରେ ଯୋଗ ଦେଇନଥିବା କହିଛନ୍ତି। କିନ୍ତୁ ତାରା ବାହିନୀପତିଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ଏହି ସମାବେଶରେ ଯୋଗ ଦେଇଥିଲେ।

ଏପଟେ ଗଣମାଧ୍ୟମ ଆଗରେ ଏମିତି କିଛି ମନ୍ତବ୍ୟ ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ତାରା। ସେ କହିଛନ୍ତି କେବଳ ପିସିସି ସଭାପତିଙ୍କ ପଛରେ ପେଟ ଦେଖେଇ ବୁଲିଲେ ହେବ ନାହିଁ। ଦଳକୁ ମୂଳରୁ ମଜଭୁତ କରିବାକୁ ହେଲେ ଫିଲ୍ଡରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏହି ମନ୍ତବ୍ୟଟି ତାରା କାହାକୁ ଇଙ୍ଗିତ କରି କହିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ପୁଣି ଦଳରେ ଅସନ୍ତୋଷ ଆଭାସ

ଓଡ଼ିଶା ପିସିସି ସଭାପତି ଚୟନ ପୂର୍ବରୁ ଦଳ ମଧ୍ୟରେ କନ୍ଦଳ ଦେଖାଦେଇଥିଲା। ଏହି କନ୍ଦଳ କେବଳ ଦଳ ଭିତରେ ସୀମିତ ହୋଇରହିନଥିଲା। ଓଡ଼ିଶା କଂଗ୍ରେସର କଳି ଦିଲ୍ଲୀରେ ପହଞ୍ଚିଥିଲା। କଂଗ୍ରେସର କିଛି ବିଧାୟକ ସେତେବେଳେ ଦାବି ରଖିଥିଲେ ବିଧାୟକଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି କରାଯାଉ। ତାରା ଏ କଥା ଖୋଦ ଗଣମାଧ୍ୟମ ଆଗରେ ମଧ୍ୟ କହିଥିଲେ। ଏହାର କିଛି ଦିନ ପରେ ଓଡ଼ିଶାର କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା ରାହୁଲଙ୍କ ସହ ସାକ୍ଷାତ କରିବାକୁ। ସବୁ ବିଧାୟକମାନେ ଦିଲ୍ଲୀରେ ଡେରା ପକାଇବା ସହ ରାହୁଲଙ୍କ ସହ ଓଡ଼ିଶା ପିସିସି ସଭାପତି ଚୟନ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ମଧ୍ୟ କିଛି ବିଧାୟକ ଦାବି ଉଠାଇଥିଲେ ବିଧାୟକଙ୍କ ମଧ୍ୟରୁ ଜଣକୁ ସଭାପତି କରିବାକୁ।

କିନ୍ତୁ ଶେଷର କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି କରାଗଲା। ବର୍ତ୍ତମାନ ନୂଆ ସଭାପତିଙ୍କୁ ଦଳୀୟ ସମର୍ଥନ ଅଭାବ ରହିଥିବା ଚାପା ଗୁଞ୍ଜରଣ ହେଉଛି।

ଏଣେ ମହମ୍ମଦ ମୋକିମ କଟକରେ କିଛି କାର୍ଯ୍ୟକ୍ରମ ଥିବାରୁ ସମାବେଶରେ ଯୋଗ ଦେଇନଥିବା କହିଛନ୍ତି। ପିସିସି ସଭାପତି ରେସରେ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଏଥିପାଇଁ ସେ ସମାବେଶରେ ଯୋଗ ଦେଇନଥାଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ରମେଶ ନେଜା ବିଦେଶ ଗସ୍ତରେ ରହିଥିବାରୁ ସେ ମଧ୍ୟ କଂଗ୍ରେସର ନବ ସଂକଳ୍ପ ସମାବେଶରେ ଯୋଗ ଦେଇନଥିବା ଜଣାପଡ଼ିଛି।

ଫୋକସରେ ୨୦୨୪

ଏଆଇସିସିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଦୁଇ ଦିନିଆ ନବ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବା। ଦଳକୁ ମଜଭୁତ କରିବା ପାଇଁ ଦଳୀୟ ନେତାମାନେ ନିଜ ନିଜର ମତ ରଖିବା ସହ ନେତା ଓ କର୍ମୀଙ୍କୁ ଶୃଙ୍ଖଳା ପାଠପଢ଼ଯିବ। ଆଗୀମ ୨୦୨୪ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାକୁ ଏବେଠାରୁ ଷ୍ଟ୍ରଙ୍ଗ ରୋଡ ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କର ଫୋକସ ରହିଛି।

ଜୁନ ୯ରୁ ପ୍ରତି ଜିଲାରେ ପଦଯାତ୍ରା କରିବେ ପିସିସି ସଭାପତି

ଓଡ଼ିଶାରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଆସନ୍ତା ଜୁନ ୯ ତାରିଖରୁ ପ୍ରତି ଜିଲ୍ଲାରେ ପଦଯାତ୍ରା କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି। ପିସିସି ସଭାପତି ପ୍ରତି ଜିଲ୍ଲାରେ ୭୫ କିମି ପଦଯାତ୍ରା କରିବେ। ଜିଲ୍ଲା, ବ୍ଲକ ଓ ମଣ୍ଡଳ ସ୍ତରରେ ବାର୍ଷିକ ଅଧିବେଶନ ହେବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି କହିଥିଲେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ଶରତ ପଟ୍ଟନାୟକ।

Tags: #Politics #OdishaPolitics #Congress #NabaSankalpaSamabesa #PCCPresident

Comment