ଓଡ଼ିଶାଲାଇଭ୍ ବ୍ୟୁରୋ

ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇ ଗଠନ ହେଲା ନୂଆ ଟିମ୍। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୋଟ ୨୧ ଜଣ। ତେବେ ନୂଆ ମନ୍ତ୍ରିମଣ୍ଡଳରେ କିଏ ନୂଆ ସାମିଲ ହେଲେ ଆଉ କାହାକୁ ମନ୍ତ୍ରିମଣ୍ଡଳୁ ଆଉଟ ହେବାକୁ ପଡ଼ିଲା ତାକୁ ନେଇ ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା।

ନିମାପଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସମୀର ରଞ୍ଜନ ଦାଶ ଏବଂ କାକଟପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତୁଷାରକାନ୍ତି ବେହେରାଙ୍କ ମନ୍ତ୍ରୀ ପଦ କାଏମ ରହିଛି।

କେଉଁ ମାନଙ୍କୁ ମିଳିଲା ପ୍ରଥମ ଥର ସୁଯୋଗ 

ଅଶ୍ଵିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମଙ୍କୁ କରି ନବଗଠିତ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହା ସହିତ ଏହି ମନ୍ତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗ ମଧ୍ୟ ଦିଆଯାଇଛି।

ଅଶ୍ଵିନୀ କୁମାର ପାତ୍ର: ଜଳେଶ୍ଵର ବିଧାସଭା ଆସନରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଅଶ୍ଵିନୀ କୁମାର ପାତ୍ର। ତାଙ୍କୁ ପ୍ରଥମ ଥର ଲାଗି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଛି। ଅଶ୍ଵିନୀ କୁମାର ପାତ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) ଦାୟିତ୍ଵ ମିଳିଥିବାବେଳେ  ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି ଏବଂ ଅବକାରୀ ବିଭାଗ ମିଳିଛି। ତାଙ୍କର ରାଜନୈତିକ ଦକ୍ଷାତା ଯୋଗୁଁ ରାଜ୍ୟ ସରକାର ତାଙ୍କ ଉପରେ ଭରସା କରିଛନ୍ତି।

ପ୍ରୀତିରଞ୍ଜନ ଘଡ଼େଇ: ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ହେଉଛନ୍ତି ପ୍ରୀତିରଞ୍ଜନ ଘଡ଼େଇ। ସେ ତିନି ଥର ସୁକିନ୍ଦା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଆଜି ତାଙ୍କୁ ରାଜ୍ୟ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ସୁଯୋଗ ମିଳିଛି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) ଦାୟିତ୍ଵ ମିଳିଥିବାବେଳେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି।

ଶ୍ରୀକାନ୍ତ ସାହୁ: ଶ୍ରୀକାନ୍ତ ସାହୁ ପୋଲସରା ନିର୍ବାଚନ ମଣ୍ଡଳିରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର, ମେ’ ୫ ତାରିଖରେ ଗଠନ ହୋଇଥିବା ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ପ୍ରଥମ ଥର ସୁଯୋଗ ମିଳିଛି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଦାୟିତ୍ଵ ମିଳିଥିବାବେଳେ ଶ୍ରମ ଓ ଇଏସଆଇ ବିଭାଗ ଦିଆଯାଇଛି।

ରୋହିତ ପୂଜାରୀ: ରେଢ଼ାଖୋଲରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରୋହିତ ପୂଜାରୀ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମ ଥର ପାଇଁ ସେ ଆଜି, ମେ’ ୫ ତାରିଖରେ ଗଠିତ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ରୋହିତ ପୂଜାରୀଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) ଦାୟିତ୍ଵ ମିଳିଥିବାବେଳେ ଉଚ୍ଚ ଶିକ୍ଷା ଭଳି ଏକ ଗୁରୁ ଦାୟିତ୍ଵ ମିଳିଛି।

ରୀତା ସାହୁ: ବିଜେପୁର ବିଧାନସଭା ଆସନରୁ ଦୁଇ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରୀତା ସାହୁ। ପ୍ରଥମେ ସେ ବିଜେପୁର ବିଧାସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ। ପ୍ରଥମ ଥର ପାଇଁ ରୀତା ସାହୁଙ୍କୁ ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) ଦାୟିତ୍ଵ ସହ ହସ୍ତତନ୍ତ ଓ ବୟନ ଶିଳ୍ପ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ମିଳିଛି।

ବାସନ୍ତୀ ହେମ୍ବ୍ରମ: କରଞ୍ଜିଆ ନିର୍ବାଚନ ମଣ୍ଡଳିରୁ ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ବାସନ୍ତୀ ହେମ୍ବ୍ରମଙ୍କୁ ରାଜ୍ୟ ସରକାରଙ୍କର ନବଗଠିତ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) ଦାୟିତ୍ଵ ସହ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଇଛି।

କେଉଁ ମନ୍ତ୍ରୀମାନେ ଗଲେ?

ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କୁ ରିପିଟ କରାଯାଇଥିବାବେଳେ ୬ ଜଣ ନୂଆ ମୁହଁଙ୍କୁ ସାମିଲ କାରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରାୟ ୧୦ରୁ ୧୨ ଜଣଙ୍କୁ ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କୃଷି ମନ୍ତ୍ରୀ ପଦବୀରେ ରହିଥିବା ଅରୁଣ ସାହୁ, ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଥିବା ପ୍ରତାପ ଜେନା, ରାଜ୍ୟସ୍ଵ ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଣି, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ରହିଥିବା ବିକ୍ରମ କେଶରୀ ଆରୁଖ, ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ର। ସେହିପରି ରଘୁନନ୍ଦନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁଶାନ୍ତ ସିଂହ, ପଦ୍ମିନୀ ଦିଆନ ଏବଂ ପ୍ରେମାନନ୍ଦ ନାୟକ ପ୍ରମୁଖ।

Tags: #OdishaGovt #NewTeam #Ministes #CMOdisha #Politics #OdishaPolitics

Comment