ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ମେ’ ୪ ତାରିଖରେ ଏକାବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେବା ପରେ ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ ଟିମ୍ ଗଠନ ହେଲା। ନବୀନଙ୍କ ନୂଆ ଟିମ୍‌ରେ ସାମିଲ ହେଲେ ୨୧ ଜଣ ମନ୍ତ୍ରୀ। ନୂଆ ଟିମରେ ନୂଆ ମୁହଁ ସାମିଲ ହୋଇଥିବାବେଳେ ଅନେକ ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି। ମନ୍ତ୍ରିମଣ୍ଡଳରୁ ବାଦପଡ଼ିଥିବା ପୂର୍ବତନ ମନ୍ତ୍ରୀମାନେ ସୋମବାର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

ରାଜ୍ୟ ସରକାରଙ୍କ ନୂତନ ଭାବେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ ୧୦ ଜଣ ପୂର୍ବତନ ମନ୍ତ୍ରୀ।  ଏମାନଙ୍କ ମଧ୍ୟରେ ରହିଛନ୍ତି ଅରୁଣ ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସୁଶାନ୍ତ ସିଂହ, ସୁଦାମ ମାର୍ଣ୍ଡି, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ପ୍ରମୁଖ।

ରବିବାର, ମେ’ ୫ ତାରିଖରେ ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ସୋମବାର, ମେ’ ୬ ତାରିଖରେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ନେତାମାନେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ମନ୍ତ୍ରୀମାନେ ନବୀନ ନିବାସରୁ ବାହାରିବା ପରେ ପ୍ରକୃତ କଥା ଜଣାପଡ଼ିଥିଲା।

ନବୀନ ନିବାସରୁ ବାହାରିବା ପରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, “ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବାରୁ ନିଶ୍ଚିତ ଭାବେ ଦୁଃଖ ଲାଗିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ଦର ଏବଂ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି କରିଥାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ। ଦଳର ସଂଗଠନକୁ ମଜବୁତ କରିବା ଲାଗି କାମ କରିବୁ ମୁଖ୍ୟମନ୍ତ୍ରୀ ଆଜ କହିଛନ୍ତି”।

ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ପୂର୍ବତନ ମନ୍ତ୍ରୀମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

“ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା। ପ୍ରଦର୍ଶନ ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇ ନାହିଁ ବୋଲି ଆଲୋଚନା ସମୟରେ କହିଥିଲେ ମୁଖ୍ୟମନ୍ତ୍ରୀ। ଆମେ ଦଳ ପାଇଁ ନିଜ ନିଜର କାମ କରୁଛୁ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ଵ ଦେବେ ତାକୁ ମଧ୍ୟ କରିବୁ”, ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

ନୂଆ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ନେତାମାନଙ୍କୁ ମନେଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ସମସ୍ତଙ୍କୁ ନବୀନ ନିବାସକୁ ଡାକିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଗକୁ ଏହି ନେତାମାନଙ୍କୁ ସଂଗଠନର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯିବା ବୋଲି କୁହାଯାଉଛି। ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ଏବଂ ଅରୁଣ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଦଳ ପାଇଁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏ ନେଇ ମଧ୍ୟ ଆଲୋଚନା ହୋଇଛି।

Tags: #Politics #OdishaPolitics #Ministers #CMOdisha #NaveenPatnaik #NaveenNiwas #FormerMinisters

LEAVE A REPLY

Please enter your comment!
Please enter your name here