ଓଡ଼ିଶାଲାଇଭ୍ ବ୍ୟୁରୋ

ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ଏକା ବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଲେ। ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ ଟିମ୍ ଗଠନ ହେଲା। ନବୀନଙ୍କ ନୂଆ ଟିମ୍‌ରେ ସାମିଲ ହେଲେ ୨୧ ଜଣ ମନ୍ତ୍ରୀ। ଏହି ମନ୍ତ୍ରିମଣ୍ଡଳରେ ପାଞ୍ଚ ଜଣ ନୂଆ ମୁହଁ ଏବଂ ପାଞ୍ଚ ଜଣ ମହିଳାଙ୍କୁ ଗୁରୁତ୍ଵ ମିଳିଛି। ନୂଆ ମନ୍ତ୍ରୀମାନେ ନିଜ ପଦ ଏବଂ ଗୋପନୀୟତାର ଶପଥ ନେବା ପରେ ରବିବାର ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କ ସାକ୍ଷାତ ଆଲୋଚନା ସମୟରେ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ। ଏଣିକି ୫-ଟି ବଦଳରେ ୬-ଟିରେ କାମ କରିବେ ମନ୍ତ୍ରୀମାନେ। ନୂଆ ମନ୍ତ୍ରୀଙ୍କୁ ୬-ଟିର ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫରମେସନ ସହ ଆଉ ଏକ ନୂଆ ‘ଟି’ ଯୋଡ଼ି ହୋଇଛି। ଏହା ହେଉଛି ‘ଟୁର’।

ଟୁର ମାଧ୍ୟମରେ ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ଓ ବ୍ଲକସ୍ତରକୁ ଗସ୍ତ କରିବାକୁ ସମସ୍ତ ୨୧ ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ଵ ବଣ୍ଟନ କରାଯାଇଥିଲା। ଏହା ପରେ ସମସ୍ତ ମନ୍ତ୍ରୀ ନବୀନ ନିବାସରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାସନ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ। ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମାନେ ଆଲୋଚନା କରିଥିଲେ। ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ।

କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ, ନବ କିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଏବଂ ନୂଆ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶ୍ଵିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ।

Tags: #Politics #OdishaPolitics #CMNaveenPatnaik #Ministers #NaveenNiwas

Comment