ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି କରାଯାଇଥିଲା। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଜନସାଧାରଣ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ସେଥିମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା, ଜମିଜମା ବିବାଦ, ରାସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ, ନିଯୁକ୍ତି ଆଦି ସହ ଗ୍ରାମ୍ୟ ପୋଖରୀ ପୁନରୁଦ୍ଧାର, ରାସ୍ତା ନିର୍ମାଣ, ସ୍କୁଲ ଓ ଅଙ୍ଗନବାଡ଼ି ନିର୍ମାଣ ଆଦି ସମସ୍ୟାର ସମାଧାନ ପାଇଁ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଯେଉଁ ବ୍ୟକ୍ତିମାନେ ସେମାନଙ୍କ ଅଞ୍ଚଳର ସାମୁହିକ ସାମୁହିକ ସମସ୍ୟାର ସମାଧାନ ପାଇଁ ଆବେଦନ କରିଥିଲେ ସେମାନେ ଗ୍ରାମସଭା ସ୍ତରରେ ଏହି ବିଷୟରେ ଆଲୋଚନା କରି ଏକ ପ୍ରସ୍ତାବ ପ୍ରଶାସନ ନିକଟକୁ ପଠାଇବା ପାଇଁ ଜିଲ୍ଲାପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ। 

ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର କେତେକ ହିତାଧିକାରୀ ଚିକିତ୍ସା ଏବଂ ଉଚ୍ଚଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ଲାଗି ଆବେଦନ କରିଥିଲେ। ତେଣୁ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ୨୧ ଜଣ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସିଥିବା ସହାୟତା ରାଶି ପ୍ରଦାନ କରାଯାଇଥିଲା। ତା’ଛଡ଼ା ସୁନ୍ଦରଗଡ଼ର ଜଣେ ଦୃଷ୍ଟିଵାଧିତ ଇଞ୍ଜିନିୟରିଂ ଛାତ୍ର ସୌମ୍ୟରଞ୍ଜନ ପଟେଲଙ୍କୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ତରଫରୁ ଏକ ଲାପଟପ ପ୍ରଦାନ କରିଥିଲେ।

ଏହି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Tags: #Sundargarh #Collector #JointGrievanceProgram

LEAVE A REPLY

Please enter your comment!
Please enter your name here