ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଶରଣକୁଳର ଶ୍ରୀଲଡ଼ୁବାବାଙ୍କ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଶ୍ରୀ ହରିହର ମହାଦେବ ଲଡ଼ୁବାବାଙ୍କ ସହିତ ମା’ ଗୌରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ନୟାଗଡ଼ ଜିଲ୍ଲା। ସମସ୍ତ ରୀତି ନୀତି ପାଳନ ପୂର୍ବକ ଶୀତଳ ଷଷ୍ଠୀ ପର୍ବ ପାଳନ କରାଯାଇଛି। ଲଡ଼ୁବାବାଙ୍କ ମନ୍ଦିରରେ ମହାଦେବ ଶ୍ରୀ ଲଡ଼ୁକେଶଙ୍କ ସହ ମା’ ପାର୍ବତୀଙ୍କର ସ୍ୱୟମ୍ବର ଅନୁଷ୍ଠିତ ହୋଇଥିଲା। ପୂଜା, ହୋମ ଓ ବେଦ ମନ୍ତ୍ର ପାଠରେ ଦେବଦମ୍ପତିଙ୍କର ବିବାହ ସମ୍ପନ୍ନ ହୋଇଥିଲା।

ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ନିମନ୍ତେ ନୟାଗଡ଼ ଜିଲ୍ଲା ସମେତ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଲଡୁବାବାଙ୍କ ପୀଠରେ ସମାଗମ ହୋଇଥିଲେ। ତିନି ଦିନ ଧରି ଶୀତଳ ଷଷ୍ଠୀ ପର୍ବ ପାଳନ କରାଯାଇଥିଲା। ମଙ୍ଗଳବାର ଉତ୍ସବର ଶେଷ ଦିନରେ ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ। ବିଶାଳ ପଟୁଆରରେ ଭଗବାନ ଶଙ୍କର ଓ ମା’ ଗୌରୀଙ୍କୁ ସୁସଜ୍ଜିତ ବିମାନରେ ସେବାସୀମାନେ ନଗର ପରିକ୍ରମା କରାଇଥିଲେ।

ଆଖପାଖ ଅଞ୍ଚଳର ନିମନ୍ତ୍ରୀତ ଦେବଦେବୀଙ୍କର ମଧ୍ୟ ସମାଗମ ହୋଇଥିଲା। ସମସ୍ତ ଠାକୁରଙ୍କୁ ନେଇ ଯାତ୍ରା ପଡ଼ିଆରେ ମେଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ପ୍ରତ୍ୟୁଷରୁ ବର କନ୍ୟାଙ୍କ ସହ ଆମନ୍ତ୍ରୀତ ଦେବଦେବୀ ନଗର ପରିକ୍ରମା କରିବା ସମୟରେ ସାହି ଭୋଗ ଗ୍ରହଣ କରିଥିଲେ।

ମଙ୍ଗଳବାର ଦିନ ମା’ ଗୌରୀଙ୍କ ସହ ଶ୍ରୀଲଡ଼ୁବାବା ମନ୍ଦିର ପ୍ରବେଶ କରିଥିଲେ। ଚଳିତ ବର୍ଷ ଶୀତଳ ଷଷ୍ଠୀ ଉତ୍ସବ ଜାକଜମକର ସହ ପାଳନ କରାଯାଇଥିଲା। ସୁନ୍ଦର ଆଲୋକ ସଜ୍ଜା ସାଙ୍ଗକୁ ଆତସବାଜି ପ୍ରଦର୍ଶନ ଶ୍ରଦ୍ଧାଳୁଙ୍କ ମନ ମୋହି ଥିଲା।

Tags: #Festival #Culture #SitalaSasthiYatra #Nayagarh

Comment