ଓଡ଼ିଶାଲାଇଭ୍ ବ୍ୟୁରୋ

ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଥୋମାସ୍ କପ୍ ଜିତିଥିବା ଭାରତୀୟ ବ୍ୟାଡମିଣ୍ଟନ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏବେ କ୍ରିକେଟ ଏବଂ ହକି ପରେ ବ୍ୟାଡମିଣ୍ଟନ ଦେଶରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଲୋକସେବା ଭବନର କନଭେନସନ ସେଣ୍ଟରରେ ଥୋମାସ କପ୍ ବିଜେତା ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ହୋଇଥିଲା। ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୪ ଥର ଥୋମାସ କପ୍ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ। ଦିନଥିଲା କ୍ରିକେଟ ଏବଂ ହକିରେ ଭାରତ ବିଶ୍ଵ ବିଜେତା ହେଉଥିଲା। ଆଜି କିନ୍ତୁ ବ୍ୟାଡମିଣ୍ଟନରେ ଭାରତ ବିଶ୍ଵରେ ବିଜୟର ଧ୍ଵଜା ଉଡ଼ାଇଛି। ୧୯୪୮-୪୯ ମସିହାରୁ ଆରମ୍ଭ ହୋଇଥିବା ଥୋମାସ କପରେ ପ୍ରଥମ ଥର ପାଇଁ ଭାରତ ସମ୍ମାନଜନକ ଥୋମାସ କପ୍ ବିଜୟୀ ହୋଇ ସମଗ୍ର ଦେଶକୁ ଗୌରବାନ୍ଵିତ କରିଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Tags: #Sports #ThomasCup #BadmintonPlayes #CMOdisha #NaveenPatnaik

Comment