ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ଦ୍ୱିତୀୟ ଦିନରେ ଏହି ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଲହୁଣୀପଡ଼ା ଓ କୋଇଡ଼ା ବ୍ଲକ ପାଇଁ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ।

ଲହୁଣୀପଡ଼ା ବ୍ଲକର ଭୁତୁଡ଼ା ଗ୍ରାମପଞ୍ଚାୟତର ରନ୍ତା ଗ୍ରାମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଂଜନ କୁମାର ସିଂ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ ୨୮ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

‘‘ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କର ସାମଗ୍ରିକ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପାନୀୟ ଜଳ ଆଦି ଉପରେ ପ୍ରାଥମିକତା ଦିଆଯାଉଛି। ଡିଏମଏଫ ଏବଂ ଓଡ଼ିଶା ଖଣି ନିଗମ ପାଣ୍ଠିର ବ୍ୟବହାର କରି ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଉଛି’’, କହିଛନ୍ତି ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ।

ଲୋକାର୍ପଣ ଏବଂ ଶିଳାନ୍ୟାସ ପ୍ରକଳ୍ପ ଭିତରେ ରାସ୍ତା ସଂଯୋଗୀକରଣ, ଭିତ୍ତିଭୂମି ନିର୍ମାଣ, ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟୁତ ସବଷ୍ଟେସନ ସହିତ ସେବାଶ୍ରମ ସ୍କୁଲରେ ଡାଇନିଙ୍ଗ ହଲ୍ ଏବଂ ଶୌଚାଳୟ ଆଦି ରହିଛି। ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ଏବଂ ଓଡ଼ିଶା ଖଣି ନିଗମ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

‘‘ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଚାଲିଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ଏହିସବୁ କାର୍ଯ୍ୟକ୍ରମରୁ କିପରି ସୁବିଧା ପାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅଞ୍ଚଳର ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲାଗି ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସ୍ୱାଗତ ଭାଷଣ ଦେବା ଅବସରରେ କହିଥିଲେ ଯେ, ‘‘ଖଣି ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ବେଳେ ଗ୍ରାମସଭା ସ୍ତରରୁ ଆସୁଥିବା ମତାମତ ଓ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଉଛି। ଜନସାଧାରଣଙ୍କ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।’’

ଏହି ଅବସରରେ ବିଭିନ୍ନ ଖଣି ଏବଂ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ କରାଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ୬ଟି ହକି ଓ ୫ଟି ଫୁଟବଲ ଟିମର ଖେଳାଳିମାନଙ୍କୁ ଆବଶ୍ୟକ ସ୍ପୋର୍ଟସ୍ କିଟ୍ସ ପ୍ରଦାନ କରାଯାଇଥିଲା। ତା’ଛଡ଼ା ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ଭତ୍ତା ସହ ରନ୍ତା ଗ୍ରାମର ୩୩ ଜଣ ହିତାଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ପକ୍କା ଘର ହସ୍ତାନ୍ତର କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଏସପି ମୁକେଶ କୁମାର ଭାମୁ, ବଣାଇଁ ଡିଏଫଓ ସନତ କୁମାର, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଲହୁଣୀପଡ଼ା ବ୍ଲକ ଅଧ୍ୟକ୍ଷ ଶୁକମତୀ ନାଏକ, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ ଏବଂ ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଡିଏମଏଫର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗୁରୁବାର ଦିନ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ପ୍ରଥମେ କୋଇଡ଼ାରେ ପହଞ୍ଚି ସ୍ଥାନୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା ସୁବିଧା ଲାଗି ୨ଟି ବସ୍ ସେବାର ଶୁଭାରମ୍ଭ କରିଥିଲେ।

ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ। ଛତୁ ଉତ୍ପାଦନ, ଶାଳ ପତ୍ରରେ ତିଆରି ଥାଳି, ଫିନାଇଲ, ଏଲ୍ଇଡି ବଲ୍ବ, ନୁଡୁଲସ ପ୍ରସ୍ତୁତି ଭଳି ଘରୋଇ କ୍ଷୁଦ୍ର ଉଦ୍ୟୋଗ ଜରିଆରେ ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇପାରୁଛନ୍ତି, ସେ ବିଷୟରେ ଆଲୋଚନା ହୋଇଥିଲା।

ସେହିପରି ବସୁନ୍ଧରା ଯୋଜନାରେ ୯ ଜଣ ଭୂମିହୀନ ହିତାଧିକାରୀ ଏବଂ ୫-ଟି ଅଧୀନରେ ଚୋରଧରା ଓ ବଡ଼ ବାଲିଯୋର ରୂପାନ୍ତରିତ ହାଇସ୍କୁଲକୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ଏହାସହ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଥିଲା।

Tags: #Sundargarh #Koida #Chairman&ManagingDirector #OMC #WelfareProjects

Comment