ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଇଣ୍ଡୋ-ନେପାଳ ସୀମା ଜଗିବେ ରାୟଗଡ଼ା ଜିଲ୍ଲାର ଆଦିବାସୀ ଝିଅ ରଶ୍ମିତା କୁମ୍ଭାର। ଟ୍ରେନିଂ ସମାପ୍ତ ପରେ ସଶସ୍ତ୍ର ସୀମା ସୁରକ୍ଷା ବହିନୀରେ ସାମିଲ ହୋଇ ଦେଶକୁ ସୀମାରେ ସୁରକ୍ଷା ଦେବେ ରଶ୍ମିତା।

ରାୟଗଡ଼ା ଜିଲ୍ଲାର ଆଦିବାସୀ ଝିଅ ରଶ୍ମିତା କୁମ୍ଭାର ସଶସ୍ତ୍ର ସୀମା ସୁରକ୍ଷା ବାହିନୀରେ ସାମିଲ ହୋଇ ଇଣ୍ଡୋ-ନେପାଳ ସୀମାରେ ଦେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ରଶ୍ମିତାଙ୍କ ସଫଳତା କେବେଳ ତାଙ୍କ ପରିବାର ପାଇଁ ନୁହେଁ ସାରା ଓଡ଼ିଶା ପାଇଁ ଗୌରବ ଆଣି ଦେଇଛି। ଜିଲ୍ଲାର ପ୍ରଥମ ମହିଳା ଭାବେ ରଶ୍ମିତା ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଛନ୍ତି। ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇ ଅନ୍ୟ ଝିଅମାନଙ୍କ ପାଇଁ ଏବେ ଉଦାହରଣ ପାଲଟି ଯାଇଛନ୍ତି ରଶ୍ମିତା। ଆସାମରେ ଟ୍ରେନିଂ ସାରି ଯୋଗ ଦେଇ ପ୍ରଥମ ଥର ରାୟଗଡ଼ା ଫେରିବା ପରେ ରଶ୍ମିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ ଅଞ୍ଚଳବାସୀ।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ପ୍ରଥମ ମହିଳା ସଶସ୍ତ୍ର ସୀମା ସୁରକ୍ଷା ଯବାନ ଭାବେ ରଶ୍ମିତା ଯୋଗ ଦେଇଛନ୍ତି। ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଗ୍ରାମର ଝିଅ କୁମାରୀ ରଶ୍ମିତା କୁମ୍ଭାର ସେନାରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାୟଗଡ଼ା ମାଟିରେ ପାଦ ଦେଇଥିଲେ। ତାଙ୍କୁ ଗେଟିପଡ଼ା ଗ୍ରାମ ଓ ରାୟଗଡ଼ାବାସୀ ବହୁ ଆଡ଼ମ୍ବରରେ ରାୟଗଡ଼ା ଷ୍ଟେସନରୁ ବ୍ୟାଣ୍ଡ-ବାଜା ସହ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ। ସେ ୨୦୧୯ ମସିହାରେ ଭରତୀୟ ସଶସ୍ତ୍ର ସୀମା ବଳରେ ଆବେଦନ କରିଥିଲେ, ୨୦୨୧ ମସିହାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ଆସାମରେ ଟ୍ରେନିଂ ନେଇଥିଲେ। ଟ୍ରେନିଂ ପରେ ଫେରିଥିଲେ ନିଜ ମାଟିକୁ।

ପିଲାଟି ଦିନରୁ ଦେଶ ସେବା କରିବାକୁ ମନ ବଳାଇଥିଲେ ରଶ୍ମିତା। କଠୋର ପରିଶ୍ରମ ଏବଂ ଦୃଢ଼ ମନୋବଳ ଯୋଗୁଁ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିଛନ୍ତି ସେ। ରଶ୍ମିତାଙ୍କ ବାପା ତୁଳସୀ ରାମ ଜଣେ ଶ୍ରମିକ ଭାବେ ଜେକେ କାଗଜ କଳରେ କାମ କରନ୍ତି। ବାପା, ମା’ ଦୁଇ ଭାଇ ଏବଂ ଦୁଇ ଭଉଣୀ, ମୋଟ ୬ ଜଣ ପରିବାର ସଦସ୍ୟ ହେଉଛନ୍ତି ରଶ୍ମିତାଙ୍କର। ବାପାଙ୍କ ସ୍ଵଳ୍ପ ରୋଜଗାରରେ ପରିବାର ଚଳେ। ଘର ଖର୍ଚ୍ଚ ଅତିକଷ୍ଟରେ କରିବାକୁ ପଡ଼ୁଥିବାବେଳେ ପାଠ ପଢ଼ାଇବା ପାଇଁ ରଶ୍ମିତାଙ୍କ ବାପାଙ୍କ ପାଖରେ ସମ୍ବଳ ନଥିଲା। ତଥାପି ନିଜ ପୁଅ ଝିଅଙ୍କ ମଧ୍ୟରୁ ଜଣକୁ ପାଠପଢ଼ାଇ ରୋଜଗାରକ୍ଷମ କରାଇବାକୁ ବାପା ତୁଳସୀ ରାମଙ୍କର ଇଚ୍ଛା ଥିଲା।

କେବଳ ରୋଜଗାରକ୍ଷମ ନୁହେଁ ନିଜ ସନ୍ତାନମାନଙ୍କ ମଧ୍ୟରୁ ଜଣେ ଦେଶ ସୁରକ୍ଷାରେ ନିଯୁକ୍ତ ହେଉ ବୋଲି ତୁଳସୀ ରାମଙ୍କର ଚିନ୍ତାଧାରା ଥିଲା। ଶେଷର ବାପାଙ୍କ ଇଚ୍ଛା ପୂରଣ କରିବାରେ ସଫଳ ହୋଇଛନ୍ତି ରଶ୍ମିତା। ରଶ୍ମିତା ଦେଶର ସଶସ୍ତ୍ର ସୀମା ବାହିନୀରେ ଯୋଗ ଦେବା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ସ୍ଥାନୀୟ ଅଞ୍ଚଳର ଜିଲ୍ଲା ପରିଷଦ ସଦସ୍ୟ ସନ୍ଧ୍ୟା ପୁଲକା କହିଛନ୍ତି।

Tags: #Security #OdishaGirl #RasmitaKumbhar #BorderSecutiryForce

Comment