ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି। ସୋମବାର, ଜୁନ ୧୩ ତାରିଖରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ। ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି।

ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ବିକ୍ରମ କେଶରୀ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବିବୃତି ରଖିବାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବାଚନିକ ଭୋଟ୍ ପରେ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଥିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ।

ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥତା କାରଣରୁ ଗତ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବାଚସ୍ପତି ପଦବୀ ପୂରଣ ପାଇଁ ଏହି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ଗତ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଆଜି ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବିଧାନସଭାରେ ସମସ୍ତ ବିଧାୟକମାନଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଜେଡି ପାଖରେ ସଂଖ୍ୟା ଥିବାରୁ ଅନ୍ୟ କେହି ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଫଳରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ। ନିର୍ବାଚିତ ହେବା ପରେ ବିକ୍ରମ କେଶରୀ ଆରୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି।

Tags: #Politics #OdishaPolitics #Election #SpeakerElection #NewSpeaker #BikramKeshariArukh

Comment