ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ର ଜୀବନରୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତି ପାଇଁ ବାଟ କଢ଼ାଇଥିଲା। ଭଞ୍ଜନଗର ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଆଜି ସେ ବିଧାନସଭା ବାଚସ୍ପତି ଆସନରେ ବସିଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମରେ ବିକ୍ରମ କେଶରୀ ଆରୁଖଙ୍କର ଜନ୍ମ। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଦେଖିବାକୁ ମିଳିଥିଲା। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ। ୧୯୮୨ ମସିହାରେ ଭଞ୍ଜନଗର କେଏସ୍‌ୟୁବି କଲେଜ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ ବିକ୍ରମ କେଶରୀ ଆରୁଖ। ଏହା ପରେ ସେ ବ୍ରହ୍ମପୁର ବିଶ୍ଵଦ୍ୟାଳୟର ଛାତ୍ର ସଂସଦର ଉପସଭାପତି ଭାବେ ନିର୍ବାଚିତ ହୋଇ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଆଇନ ପାଠପଢ଼ା ସାରିବା ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ସକ୍ରିୟ ରାଜନୀତିରେ ରହି ସେ ବିଜୁ ବାବୁଙ୍କ ନିକଟତର ହୋଇପାରିଥିଲେ।

ବିକ୍ରମ ଆରୁଖଙ୍କ ସାଂଗଠନିକ ଦକ୍ଷତା ଦେଖିବା ପରେ ବିଜୁ ବାବୁ ୧୯୯୫ରେ ପ୍ରଥମ ଥର ପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ କରିଥିଲେ। ବିଜୁ ବାବୁଙ୍କ ଭରସା ଜିତିବାରେ ସଫଳରେ ହେଲେ ଏବଂ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିକ୍ରମ କେଶରୀ ଆରୁଖ।

ବିଜୁ ଜନତା ଦଳ(ବିଜେଡି) ଗଠନ ପରେ ୨୦୦୦ ମସିହାରେ ବିଜେଡି ଟିକେଟ୍‌ରେ ଭଞ୍ଜନଗର ବିଧାନସଭା ଆସନରୁ ବିକ୍ରମ ଆରୁଖ ନିର୍ବାଚନ ଲଢ଼ିବା ସହ ବିଜୟ ମଧ୍ୟ ହାସଲ କରିଥିଲେ। ଦଳ ପ୍ରତି ତାଙ୍କର ଆନୁଗତ୍ୟ, ଲୋକପ୍ରିୟତା ଏବଂ ଲୋକ ସେବା ମନୋବୃତ୍ତି ଯୋଗୁଁ ୨୦୦୪ ମସିହାରେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରିଥିଲା। ନିଜ ସାଂଗଠନିକ ଦକ୍ଷତା ଯୋଗୁଁ ସେ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଅତି ନିକଟତର ହୋଇ ରହିଆସୁଛନ୍ତି।

୨୦୦୯ ମସିହା ସାଧାରଣ ନିର୍ବାଚନରେ ମଧ୍ୟ ବିକ୍ରମ କେଶରୀ ଆରୁଖ ବିଜେଡି ଟିକେଟରେ ଭଞ୍ଜନଗର ବିଧାନସଭା ଆସନରୁ ଚତୁର୍ଥ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ପାଳିରେ ତାଙ୍କୁ ପ୍ରଥମ ଥର ମନ୍ତ୍ରୀପଦ ମିଳିଥିଲା। ତାଙ୍କୁ ଦିଆଗଲା ଗ୍ରାମ୍ୟ ଉନ୍ନୟନ ଓ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ। ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗ ମନ୍ତ୍ରୀ ଭାବେ ସେ ନିଜ ଦାୟିତ୍ୱକୁ ମଧ୍ୟ ସୂଚାରୁ ରୂପେ ତୁଲାଇଥିଲେ। ଏହା ପରଠାରୁ ବିକ୍ରମ କେଶରୀ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ସମ୍ଭାଳି ଥିଲେ।

ଗତ ଜୁନ ୪ ତାଖରେ ବାଚସ୍ପତି ପଦବୀରୁ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ରାଜ୍ୟ ସରକାରଙ୍କ ମୋଟ ୨୦ ଜଣ ମନ୍ତ୍ରୀ ସାମୁହିକ ଭାବେ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଏଥିରେ ବିକ୍ରମ କେଶରୀ ଆରୁଖ ମଧ୍ୟ ସାମିଲ ଥିଲେ। ଗତ ଜୁନ ୫ ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହୋଇଥିଲା। ରାତାରାତି ମନ୍ତ୍ରିମଣ୍ଡଳରେ ପରିବର୍ତ୍ତମ ହୋଇ ଅନେକ ମନ୍ତ୍ରୀଙ୍କୁ ରିପିଟ କରାଯାଇଥିଲା ଏବଂ ଏହି ମନ୍ତ୍ରିମଣ୍ଡଳରେ ନୂଆ ମୁହଁଙ୍କୁ ସାମିଲ କରାଯାଇଥିଲା।

ଏହି ସମୟରେ ବିକ୍ରମ କେଶରୀ ଆରୁଖ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ହୋଇଥିଲା। ଶେଷରେ ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେଇଥିଲା। ଗତ ଶୁକ୍ରବାର ଦିନ ଏଥିପାଇଁ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ।

Tags: #Politics #OdishaPolitics #Politician #BikramKeshariArukh #CMOdisha #NaveenPatnaik

Comment