ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋମବାର, ଜୁନ ୧୩ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା କରାଯାଉଛି। ଗତ ଜୁନ ୧ ତାରିଖରେ ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା।

ଗତ ଜୁନ ୨ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେହି ସମୟରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଯାଇଥିବାରୁ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିନଥିଲେ। ସେ ସମୟରେ ରାହୁଲ ଗାନ୍ଧୀ ହାଜର ହୋଇପାରିନଥିବାରୁ ଆଜି ହାଜର ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ବୟାନ ପିଏମଆଇଏଲ୍ଏ ଆକ୍ଟ ସେକ୍ସନ ୫୦ ଅନ୍ତର୍ଗତ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ରାହୁଲଙ୍କୁ ଇଡିର ୩ ଜଣ ଅଧିକାରୀ ଜେରା କରୁଛନ୍ତି।

ଏଣେ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ହାଜର ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଡାକରା ଦିଆଯାଇଛି। ଏହା ଅନ୍ତର୍ଗତ କଂଗ୍ରେସ କର୍ମୀମାନେ ଦେଶବ୍ୟାପୀ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ ଦିଲ୍ଲୀରେ ଥିବା ବିଭିନ୍ନ ରାଜ୍ୟର କଂଗ୍ରେସ ନେତା ଏବଂ କର୍ମକର୍ତ୍ତା ଏକାଠି ହୋଇ ଏହାର ପ୍ରତିବାଦ କରୁଛନ୍ତି।

Tags: #Politics #IndianPolitics #ED #RahulGandhi #NationalHeraldCase

LEAVE A REPLY

Please enter your comment!
Please enter your name here