ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପହିଲି ରଜ। ଏନେଇ ସଜେଇ ହୋଇଛି ପୁରପଲ୍ଲୀ। ବରଷକେ ଥରେ ଆସିଛି ଏହି ଗଣପର୍ବ ରଜ। କୋଭିଡ ମହରମାରୀ ପାଇଁ ଦୁଇ ବର୍ଷ ହେଲା ରଜ ମାହୋଲ ଫିକା ପଡ଼ିଯାଇଥିଲା। ଚଳିତ ବର୍ଷ ଲୋକେ ଧୁମଧାମରେ ପାଳନ କରୁଛନ୍ତି ରଜ ପର୍ବ। ଏଥିପାଇଁ ଗାଁଠାରୁ ସହର ଚଳଚଞ୍ଚଳ ହୋଇଉଠିଛି। ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମ ପାଳନ କରୁନ୍ତି।

ଘରେ ଘରେ ପିଠା ପଣା। ବିଭିନ୍ନ ସ୍ଥାନରେ ଦୋଳି। ଦୋଳିଖେଳିବାକୁ କୁନି ପିଲାଙ୍କଠାରୁ କିଶୋରୀ ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଅପେକ୍ଷାରେ। କେବେଳ ସେତିକି ନୁହେଁ ସବୁ ବୟସର ଲୋକ ମଧ୍ୟ ଏଥର ଦୋଳିଖେଳିବାକୁ ଆଗ୍ରହ ପ୍ରକାଶ ପରୁଥିବା ଦେଖିବାକୁ ମିଳିଛି।

ଜୁନ ୧୪ ତାରିଖରେ ପହଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ସ୍ନାନ (ବସୁମାତା ସ୍ନାନ)। ଗୁରୁବାର ସଜବାଜ। ଖଣ୍ତେ ରଜ ପିଠା ରଜପାନ ନ ଖାଇଲେ ରଜରେ ମଜା ଆସି ନଥାଏ।

ପହିଲି ରଜର ପୂର୍ବଦିନ ସଜବାଜ କାମ ରହିଥାଏ। ରଜ ପାଇଁ ପ୍ରସ୍ତୁତି, ରଜ ସଜବାଜ, ପିଠଉ ବଟା, ମସଲା ଗୁଣ୍ଡ କରିବା, ଚୁନା କୁଟିବା, ଗୁଆ ଭାଙ୍ଗିବା, ପାନ ଚିରି ରଖିବା, ଦୋଳି ବାନ୍ଧିବା ଆଦି କାମ କରିଥାନ୍ତି।

ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥିବା ବେଳେ ସହରରେ ବିଭିନ୍ନ ମହୋତ୍ସବ ପାଳନ କରାଯାଉଛି। ପୋଡ଼ ପିଠା, ଆରିଷା, କାକରା,ମଣ୍ଡା ଏଭଳି ବିଭିନ୍ନ ପିଠାରେ ମହକୁଥାଏ ପୁରପଲ୍ଲୀ।

ଗାଁମାନଙ୍କରେ ରଜର ମଜା ଟିକେ ଅଲଗା। ବରଗଛ, ଆମ୍ବଗଛ ଏବଂ ନଡ଼ିଆ ଗଛ ମାନଙ୍କରେ ଲୋକ ବାଉଁଶ ଦୋଳି ଲଗାଇଥାନ୍ତି।

ରଜ ପାଇଁ ଏଥର  ୧୦ ଦିନ ଆଗରୁ ବଜାରରେ ଭିଡ଼ ଲାଗିଛି। ଖରାଯୋଗୁଁ ଦିନ ବେଳା କିଣାକିଣି ବନ୍ଦ ହେଉଛି କିନ୍ତୁ ସନ୍ଧ୍ୟା ବେଳେ ଭିଡ଼ ଅଧିକ ଦେଖିବାକୁ ମିଳୁଛି। ରଜ ପାଇଁ ରାଜଧାନୀର ସବୁ ହୋଟେଲ୍, ପାନ୍ଥ ନିବାସ ଚଳଚଞ୍ଚଳ। ବିଭିନ୍ନ ମଲ ମାନଙ୍କରେ ରଜ ଦୋଳି ବ୍ୟବସ୍ଥା କରାଯାଇଛି। ଭିନ୍ନ ପାରମ୍ପାରିକ ପିଠା ସାଙ୍ଗକୁ ଦୋଳିରେ ହୋଟେଲ ସଜାଯାଇଛି। ଏହି ପର୍ବ ଅବସରରେ ମଲମାନେ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରିବା ସହ ସୁସ୍ୱାଦୁ ଖାଦ୍ୟର ଭଳିକି ଭଳି ବ୍ୟବସ୍ଥା କରାଯାଇଛି।

Tags: #Festival #Raja #PahiliRaja #Celebration

Comment