ସୌମ୍ୟ ରଞ୍ଜନ ବିହାରା

ସତେ ଯେପରି ଲାଗୁଛି ସେଲ୍‍ଫି ଉଠେଇବା ଗୋଟେ ବଡ଼ ଭୁଲ, ରିଲ୍ସ ବନେଇବା ପାପ, ଆଉ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିବା ମହାପାପ। ସାମାଜିକ ଗଣମାଧ୍ୟମ ଖୋଲିଦେଲେ ଏମିତି କିଛି ଅନୁଭବ କରିବାକୁ ଆମେ ବାଧ୍ୟ ହେଉଛେ। କାରଣ ସାମାଜିକ ଗଣମାଧ୍ୟମରେ ସେଲ୍‍ଫି, ରିଲ୍ସ ଓ ବାକ୍‍ ସ୍ୱାଧୀନତାକୁ ନେଇ ଏବେ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି। ଜଣାନାହିଁ, ଏମିତି ପ୍ରଶ୍ନ ସେମାନେ କାହିଁକି ଉଠାଇଛନ୍ତି? କିଛି ବୁଝୁ ନବୁଝୁ କାହିଁକି ସମାଲୋଚନା କରୁଛନ୍ତି? ଏପରି ପ୍ରଶ୍ନ କରୁଥିବା ଲୋକେ ନିଜେ କେବେ ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କରିଛନ୍ତି କି?

ରଜର ଆଉ ସେ ମହକ ନାହିଁ। ଆଗରୁ ଯେପରି ଗାଁ ଗହଳିରେ ରଜ ପାଳନ ହେଉଥିଲା, ତାହା ଆଉ ଦେଖିବାକୁ ମିଳୁନି। ସେକାଳ ପୋଡ଼ ପିଠା ଆଉ ନାହିଁ, ସେ ଦୋଳି ଖେଳ ଆଉ ନାହିଁ କି ସେ ପୁଚି ଆଉ କବାଡ଼ି ଖେଳ ଆଉ ନାହିଁ। ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ଅଧିକାଂଶ ଲୋକ ଏହିପରି କିଛି ଲେଖା କାହିଁକି ଯେ, ଲେଖୁଛନ୍ତି ତାହା ଜାଣାପଡ଼ୁନି। ଖବରକାଗଜରେ ‘ରଜ’କୁ ନେଇ ବାହାରୁଥିବା ମତାମତରେ ମଧ୍ୟ କିଛି ଲୋକ ଏପରି ମତ ଦେଉଛନ୍ତି। ପୁଣି କିଛି ଲୋକ କହିଛନ୍ତି, ରଜ ଏବେ ହୋଟେଲ୍‍ ଏବଂ ରେସ୍ତୋରାଁରେ ପାଳନ ହେଉଛି। କେବଳ ପରମ୍ପରାକୁ ବଞ୍ଚାଇ ରଖିବାକୁ ରଜ ପାଳନ କରାଯାଉଛି।

ଉପରୋକ୍ତ ସମସ୍ତ ପ୍ରଶ୍ନ ଓ ଆଶଙ୍କାର ଗୋଟିଏ ସିଧା ଉତ୍ତର ହେଉଛି, ‘ପରିବର୍ତ୍ତନ’ ବିଶ୍ୱର ଏକମାତ୍ର ସତ୍ୟ। ଆମେ ଗତକାଲି ଯାହା ଥିଲେ, ଆଜି ତାହା ନାହୁଁ। ଆମେ କିଛି ସମୟ ପୂର୍ବରୁ ଯେମିତି ଥିଲେ, ବର୍ତ୍ତମାନ ସେମିତି ନାହୁଁ। ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ଘଟୁଛି। ସବୁଥିରେ ପରିବର୍ତ୍ତନ। ଆମ ଆଚରଣ, ଉଚ୍ଚାରଣ, ବ୍ୟକ୍ତିତ୍ୱ, ଜୀବନ, ଜୀବନଶୈଳୀ ସବୁଥିରେ ପରିବର୍ତ୍ତନ ହେଉଛି। ଯଦି ଗ୍ରାଇଣ୍ଡରଟିଏ ଉଦ୍ଭାବନ ହେବା ପରେ ବା ସୁଲଭ ମୂଲ୍ୟରେ ମିଳିବା ପରେ ଆମେ ସେଥିରେ ଚାଉଳ ଚୂନା କରୁ, ବିରି ବାଟି ପିଠା କରୁ, ତେବେ କ୍ଷତି କେଉଁଠି? ଯଦି ଗ୍ୟାସ୍‍, ଇଣ୍ଡକ୍ସନ୍‍, ପ୍ରେସର କୁକର୍‍ କି ଓଭେନ୍‍ରେ ପୋଡ଼ ପିଠା ହୋଇପାରୁଛି, ତେବେ ଆମେ କାହିଁକି ଚୁଲି ଖୋଜିବା?

ଏ କଥା କେବଳ କହିବା ସହଜ କି’ ରଜର ପରମ୍ପରା ବଦଳିଛି। ହଁ, ବଦଳିବା ହିଁ ଏକମାତ୍ର ସତ୍ୟ। ଆଉ ଆମେ ହିଁ ଏହି ପରମ୍ପରା, ସଂସ୍କୃତି ଓ ଚଳଣିକୁ ବଦଳାଇଛେ। ଏବେ କିଛି ଗୋଟେ ଭିନ୍ନ ଲେଖିବା ଉଦ୍ଦେଶ୍ୟରେ ହେଉ, ଚର୍ଚ୍ଚାରେ ରହିବାକୁ ହେଉ କି ଅନ୍ୟ କୌଣସି କାରଣରୁ ସାମାଜିକ ଗଣମାଧ୍ୟମରେ ଆମେ ଦେଖେଇ ହେଉଛେ କି’ ଆମେ ବହୁତ ଭଲ। ଆଗରୁ ଆମେ ରଜ ପାଳନ କରୁଥିଲେ। ବର୍ତ୍ତମାନ ଇଏ କି’ ରଜ ବୋଲି ପ୍ରଶ୍ନ ହେଉଛି। ଏବେ ନା ସେ ପୋଡ଼ ପିଠାର ସ୍ୱାଦ ଅଛି, ନାତ୍ସାହ। ଏମିତି ଅନେକ ପ୍ରଶ୍ନ କିଛି ଲୋକଙ୍କୁ ଆନ୍ଦୋଳିତ କରୁଛି। ଆଉ ଫଳ ସ୍ୱରୂପ, ସେମାନେ ଏହିପରି ପୋଷ୍ଟ କରୁଛନ୍ତି।

ପୋଡ଼ ପିଠାର ସେହି ମହକ ଓ ସ୍ୱାଦ ଏବେ ବି ଅଛି। ନଥିବା ଜିନିଷଟି ହେଉଛି ଅନୁଭବ। କାରଣ, ଆଜିକାଲି ଅନୁଭବ କରିବାର ଶକ୍ତି କମିଗଲାଣି। ରଜ ଦିନ ଆମେ ଭାଷଣ ମାରୁଛୁ ଯେ, ଚୁଲିରେ ପୋଡ଼ ପିଠା ହେଉନି, ରଜ ଦୋଳି ଆଉ ନାହିଁ, ରଜରେ ଗାଁର ସେହି ପରିବେଶ ଆଉ ଦେଖିବାକୁ ମିଳୁନି ଇତ୍ୟାଦି।

ପ୍ରକୃତରେ ଏଥିରେ କ’ଣ ପରିବର୍ତ୍ତନ ହୋଇଛି ତାହା ଭିନ୍ନ କଥା। କିନ୍ତୁ ସତ କଥା ହେଉଛି, ଏବେ ବି ସଜବାଜ ଦିନ ଆଗରୁ ପ୍ରତିଟି ଓଡ଼ିଆ ଘର ରଜ ରଜ ବାସୁଛି। ପୋଡ଼ ପିଠାର ମହକ ଛୁଟି ଆସୁଛି। ଆମ୍ବ ତୋଟାରେ ହେଉ କି ନହେଉ, ଘରେ, ଆପାର୍ଟମେଣ୍ଟରେ ରେଡିମେଡ୍‍ ଦୋଳି ଝୁଲୁଛି। ଆଉ ସେହି ଦୋଳିରେ ଛୋଟ ପିଲା, ଝିଅ, ବୋହୂମାନେ ଦୋଳି ଖେଳୁଛନ୍ତି। ଘରର ମୁରବି ମଧ୍ୟ ମଝିରେ ମଝିରେ ଦୋଳିରେ ବସିପଡ଼ି ଖବରକାଗଜ କିମ୍ବା ମୋବାଇଲ୍‍ ଦେଖୁଛନ୍ତି। କିନ୍ତୁ ଦୋଳି ଅଛି।

ରହିଲା ପୁଚି କି କବାଡ଼ି ଖେଳିବା କଥା। ବର୍ଷ ତମାମ୍‍ ଯେତେବେଳେ ଆମମାନଙ୍କର ପୁଅ, ଝିଅ, ଭାଇ, ଭଉଣୀ, ବନ୍ଧୁ, ସମ୍ପର୍କୀୟ ମୋବାଇଲରେ ଗେମ୍‍ ଖେଳୁଥିଲେ, କାଇଁ ଦିନେ ତ ଆମେ ପ୍ରଶ୍ନ କରିନେ। ମୋବାଇଲ ଖେଳଛାଡ଼ି ସାଙ୍ଗସାଥୀଙ୍କ ସହିତ ଖେଳିବାକୁ ପରାମର୍ଶ ଦିଆଯାଇନି। ଧୂଳି ଖେଳ ହେଉବା ଲୁଚକାଳି, କେବେ ପିଲାଙ୍କୁ ଖେଳିବାକୁ ଯା’ ବୋଲି ବାଧ୍ୟ କାରଯାଇନି। କେବଳ ଭଲ ପାଠପଢ଼ିବାକୁ କୁହାଯାଇଛି। ପରାମର୍ଶ ଦିଆଯାଏ ଅଧିକ ସମୟ ପଢ଼, ଘରେ ରୁହ ଏବଂ ବାହାର ଲୋକଙ୍କ ସହ ମିଳାମିଶା କରନାହିଁ।

ଆଜିର ପିଢ଼ି ଏମିତି କରୁନ୍ତୁ ବୋଲି ଯଦି ଆମେ ନିଜେ କହୁଛେ, ତେବେ ସେମାନଙ୍କର ଦୋଷ କେଉଁଠି ରହିଲା? ସେମାନେ ହୋଟେଲ୍‍ କି ରେସ୍ତୋରାଁରେ ରଜ ପାଳନ କରିଲେ ଅସୁବିଧା କେଉଁଠି ରହୁଛି? ସେମାନେ ଯଦି ଖୁସିରେ ସେଲ୍‍ଫି ଉଠଉଛନ୍ତି,  ରିଲ୍ସ ବନଉଛନ୍ତି ଏବଂ ସେସବୁକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି, ତେବେ ଅସୁବିଧା କୋଉଠି ରହୁଛି?

ଏତେସବୁ ପରେ ଆମେ କାହାରିକି ନ ଦେଖେଇ, ଭଦ୍ରମୁଖା ପିନ୍ଧି, ଲୁଚି ଲୁଚି ସେଇସବୁ ସେଲ୍‍ଫି, ରିଲ୍ସ ଏବଂ ଫଟୋ ଦେଖିଥାଉ। ପୁଣି କହୁ, ଏ ସବୁ ଖରାପ। ଏଇଟା କେତେଦୂର ଠିକ୍‍ ତାହା ବିଚାର କରିବାକୁ କିନ୍ତୁ କାହା ପାଖରେ ସମୟ ନାହିଁ।

ଏବେ ବି ରଜର ମହକ ଅଛି। ଏବେ ବି ରହିଛି ସେଇ ସ୍ୱାଦ ଆଉ ସେଇ ଉନ୍ମାଦ। କେବଳ ତାକୁ ଅନୁଭବ କରିବାକୁ ସମୟ ନାହିଁ। ପ୍ରତିଟି ଓଡ଼ିଆର ହୃଦୟ ଅନୁଭବ କରିପାରେ ରଜର ମହକ। ଘରେ ହେଉ ଅବା କାର୍ଯ୍ୟାଳୟ, ସବୁଠି ରଜ, ରଜ ଭଳି ଲାଗେ। କାରଣ, ରଜ କେବଳ ଏକ ପର୍ବ ନୁହେଁ, ଏହା ଏକ ଅନୁଭବ।

ଲେଖକ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଶିକ୍ଷକ ଅଛନ୍ତି।

Tags: #Raja #Festival #Celebration

Comment