ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜୋର ଧରିଥିବାବେଳେ ଏହାରି ମଧ୍ୟରେ ଶନିବାର ଗୃହମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଗୃହମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସ ନିଯୁକ୍ତିରେ ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏଥିସହ ନିଯୁକ୍ତି ବେଳେ ସେମାନଙ୍କର ବୟସ ସୀମାକୁ ମଧ୍ୟ ୩ ବର୍ଷ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ୫ ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ଘୋଷଣା କରିବା ଦିନଠାରୁ ହଁ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ବିରୋଧ ଆରମ୍ଭ ହୋଇଥିଲା। ବିହାରରୁ ଆରମ୍ଭ ହୋଇଥିବା ଏହି ବିରୋଧ ଧୀରେ ଧୀରେ ବିଭିନ୍ନ ରାଜ୍ୟରେ ପ୍ରଭାବ ପକାଇବା ସହ ଓଡ଼ିଶାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିଭିନ୍ନ ରେଳ ଷ୍ଟେସନରେ ବ୍ୟାପକ ଭାଙ୍ଗରୁଜା କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ଅନେକ ସ୍ଥାନରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗତ ଶୁକ୍ରବାର ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ସମୟରେ ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ପୋଲିସ୍ ଗୁଳିରେ ଜଣେ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ଗୁରୁତର ଆହତ ହୋଇଥିଲେ।

ସାରା ଦେଶରେ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ୭ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ବିହାର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଆନ୍ଦୋଳନକାରୀ ଟ୍ରେନ୍ ଜଳାଇ ଦେଇଥିଲେ। ବିହାରରେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳାନକାରୀ। ବିହାର ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ୱଓ୍ଵାଲଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା।

Tags: #Career #Employment #AgnipathYojan #Agniveer #Reservation #GovtOfIndia

Comment