ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାନ୍ତିଶୃଙ୍ଖଳା ସହିତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରାରେ ସାମିଲ ହୋଇପାରିନଥିଲେ ଶ୍ରଦ୍ଧାଳୁ। ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ। ଏ ବର୍ଷ ଅଧିକ ସଂଖ୍ୟକ ଭକ୍ତ ପୁରୀରେ ସମାଗମ ହେବାର ଆଶଙ୍କା ରହିଥିବାରୁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନକୁ ଆଗୁଆ ସବୁ ପ୍ରକାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତମାନଙ୍କ ସହଯୋଗ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସମ୍ପର୍କରେ ସୂଚନା ଦେଇଥିଲେ। ଉନ୍ନୟନ କମିଶନର ପି କେ ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। 

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସ୍ଵାଗତ ଭାଷଣ ଦେଇଥିବାବେଳେ କେନ୍ଦ୍ରାଞ୍ଚଳ ଆରଡିସି ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଏବଂ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

Tags: #CMOdisha #CMNaveenPatnaik #Reviewed #SmoothConduct #RathYatra #Puri #ShreeJagannath

Comment