ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ଜୁନ ୨୦ ତାରିଖରେ ଏକାଧିକ ଅଧିକାରୀଙ୍କୁ ସାଙ୍ଗରେ ଧରି ରୋମ ଏବଂ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରତିନିଧି ଦଳ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରୁ ଆସନ୍ତା ଜୁନ ୨୦ ତାରିଖ ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଇଟାଲୀର ରୋମ୍ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ରୋମ୍ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି। ଡବ୍ଲ୍ୟୁଏଫପି ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିବେ।

ଏହି କାର୍ଯ୍ୟକ୍ରମ ସମୟରେ ବରିଷ୍ଠ ଅଧିକାରୀମାନଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି। ରୋମରେ ରହଣି ସମୟରେ ମୁଖ୍ୟମନ୍ତ୍ରୀ ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ୟୁରୋପର ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ଜୁନ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମରେ ରହିବେ। ଜୁନ ୨୬ ତାରିଖରୁ ରୋମରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ। ଦୁବାଇରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ।

ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ, ଖାଦ୍ୟ ଯୋଗାଣ ସଚିବ, ଶିଳ୍ପ ସଚିବ ଓ ନୂଆ ଦିଲ୍ଲୀ ଆବାସିକ କମିଶନର ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ଦିନିଆ ଗସ୍ତ ସାରି ଜୁନ୍ ୩୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯାଉଛନ୍ତି।

Tags: #Politics #OdishaPolitics #CMOdisha #NaveenPatnaik #ForeignVisit

Comment