ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନ ପରିଷଦ ନିର୍ବାଚନ ପରେ ମହାରାଷ୍ଟ୍ରରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଶିବସେନାର ଖରାପ ପ୍ରଦର୍ଶନ ପରେ ଦଳ ଭିତରେ ଏବେ କନ୍ଦଳ ଦେଖାଦେଇଛି। ଏବେ ସଙ୍କଟରେ ରହିଛନ୍ତି ଉଦ୍ଧବ ସରକାର। ବିଧାନ ପରିଷଦ ନିର୍ବାଚନ ପରେ ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ପ୍ରାୟ ୨୦ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଅନ୍ତର୍ଦ୍ଧାନ ହୋଇଯାଇନ୍ତି। ତେବେ ଏମାନେ ଗୁଜୁରାଟ ସୁରତର ଏକ ତାରକା ହୋଟେଲରେ ଥିବା ସୂଚନା ମିଳିଛି।

ବଦଳିବକି ମହାରାଷ୍ଟ୍ରର ରାଜନୈତିକ ପାଣିପାଗ?

ଏବେ ଉଦ୍ଧବ ଠାକରେଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ମନ୍ତ୍ରୀ ଏକନାଥ ସିନ୍ଦେ। କୁହାଯାଉଛି ୨୦ରୁ ୨୫ ଜଣ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ସିନ୍ଦେ ୨୦ ବିଧାୟକଙ୍କୁ ସାଂଗରେ ଧରି ବିଜେପି ଶାସିତ ରାଜ୍ୟରେ ଡେରା ପକାଇଛନ୍ତି। ଏହାକୁ ନେଇ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ। ୨୦ ଜଣ ବିଧାୟକଙ୍କୁ ବାଦ ଦେଇ ଉଦ୍ଧବ ଠାକରେ ସରକାର ବଞ୍ଚାଇବାରେ ସମର୍ଥ ହୋଇପାରିବେ କି ବୋଲି ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପଶ୍ନ ଉଠିଛି।

ବିଜେପି ହାତରେ ଅଧିକ ସମର୍ଥନ

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ବିଧାୟକ। ଏଣୁ ସରକାର ଗଠନ କରିବାକୁ ହେଲେ ୧୪୫ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏପଟେ ଜଣେ ବିଧାୟକଙ୍କ ଦେହାନ୍ତ ଯୋଗୁଁ ଏବେ ବିଧାନସଭାରେ ୧୮୭ ଜଣ ବିଧାୟକ ରହିଛନ୍ତି। ଏଣୁ ସରକାର ଗଠନ ପାଇଁ ୧୪୪ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏବେ ଶିବସେନା ନେତୃତ୍ୱରେ ଚାଲିଥିବା ସରକାରକୁ ୧୬୯ ଜଣ ବିଧାୟକଙ୍କ ସମର୍ଥନ ରହିଥିବାବେଳେ ବିରୋଧୀ ବିଜେପି ପାଖରେ ନିଜର ୧୦୬, ଆରଏସପି ୧, ଜେଏସଏସ ୧ ଓ ୫ ନିର୍ଦ୍ଦଳୀୟ ବିଧାୟକଙ୍କ ସହ ମୋଟ ୧୧୮ ଜଣ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି।

ତେବେ ଖୁବଶୀଘ୍ର ମହାରାଷ୍ଟ୍ର ରାଜନୀତି ଇତିହାସରେ ବଡ଼ ଧରଣ ପରିବର୍ତ୍ତନ ଆସିବ ବୋଲି ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି।

Tags: #Politics #IndianPolitics #PoliticalCrisis #MaharastraGovt

Comment