ଓଡ଼ିଶାଲାଇଭ୍ ବ୍ୟୁରୋ

ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଝଟକା ଦେଇ ୨୦ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଅନ୍ତର୍ଦ୍ଧାନ ହୋଇଥିବା ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଶେଷରେ ମୁହଁ ଖୋଲିଛନ୍ତି। ସାଙ୍ଗରେ ଶିବସେନାର ୨୦ ବିଧାୟକଙ୍କୁ ଧରି ବିଜେପି ଶାସିତ ଗୁଜୁରାଟର ସୁରତରେ ଡେରା ପକାଇବା ପରେ ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହୋଇଛି।

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖା ଦେବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଡ଼ୁଆ ବଢ଼ାଇଛନ୍ତି ଏକନାଥ ସିନ୍ଦେ। ରାଜନୈତିକ ହଟଚମଟ ମଧ୍ୟରେ ମୁହଁ ଖୋଲିଛନ୍ତି ଏକନାଥ ସିନ୍ଦେ। ଶିନ୍ଦେ ଟୁଇଟ କରି କହିଛନ୍ତି, “ଆମେ ବାଲା ସାହେବଙ୍କର ସଚ୍ଚୋଟ ଶିବସେନା। ବାଲା ସାହେବ ଆମକୁ ହିନ୍ଦୁତ୍ଵ କ’ଣ ଶିଖାଇଛନ୍ତି। ଆମେ କ୍ଷମତା ପାଇଁ କଦାପି ବିଶ୍ଵାସଘାତ କରିବୁ ନାହିଁ। ବାଲା ସାହେବଙ୍କ ଚିନ୍ତାଧାରା ଏବଂ ଧର୍ମବୀର ଆନନ୍ଦ ସାହେବ ଆମକୁ ବିଶ୍ଵାସଘାତକତା କରିବା ଶିଖାଇ ନାହାନ୍ତି”।

ସିନ୍ଦେଙ୍କ ବିରୋଧରେ ଆକ୍ସନ ଆରମ୍ଭ

ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ବିରୋଧୀ କାର୍ଯ୍ୟ କରିବା ପରେ ତାଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକନାଥଙ୍କୁ ବିଧାୟକ ଦଳର ନେତା ପଦବୀରୁ ବିଦା କରିଛି ଶିବସେନା। ବର୍ତ୍ତମାନ ଅଜୟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ପଦବୀ ଦିଆଯାଇଛି। ବିଧାୟକ ଦଳର ନେତା ପଦବୀରୁ ଏକନାଥଙ୍କୁ ବହିଷ୍କାର କରାଯାଇଥିବା ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି।

ପୂର୍ବରୁ ଘଟିଛି ଏଭଳି ଘଟଣା

ବର୍ତ୍ତମାନ ମହାରାଷ୍ଟ୍ର ସରକାର ସଙ୍କଟ ପରିସ୍ଥିତିରେ ରହିଛନ୍ତି। ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ପ୍ରାୟ ୨୦ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଗାଏବ ହେବା ପରେ ଟଳମଳ ହୋଇଛି ଉଦ୍ଧବ ସରକାରଙ୍କ ଚୌକି। ଏହି ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିଲାବେଳେ ଏନସିପି ନେତା ଶରଦ ପାଓ୍ଵାର ଟୁଇଟ କରି କହିଛନ୍ତି, ଗତ ଦୁଇ-ଅଢ଼େଇ ବର୍ଷ ମଧ୍ୟରେ ଏହା ତୃତୀୟ ଘଟଣା। ଗତ ଦୁଇ ଥର ବିଧାୟକଙ୍କୁ ଗାୟବ କରାଯାଇଥିଲା। ଏହା ପୂର୍ବରୁ ଆମ ବିଧାୟକମାନଙ୍କୁ ନେଇ ଗୁଡଗାଁଓରେ ରଖାଯାଇଥିଲା। ସେମାନେ ଫେରିବା ପରେ ଉଦ୍ଧବ ଠାକରେଙ୍କ ସରକାର ଗଠନ ହୋଇଥିଲା।

କଂଗ୍ରେସ ବିଧାୟକ ଦଳର ବୈଠକ ହେବ

ମହାରାଷ୍ଟ୍ରରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଏଚକେ ପାଟିଲ ଆଜି ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ଡାକିଛନ୍ତି। ଦିଲ୍ଲୀରେ ଥିବା ଏଚକେ ପାଟିଲ ମଧ୍ୟ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି।

ଏନସିପି ନେତା ଶରଦ ପାଓ୍ଵାର କହିଛନ୍ତି ଯେ, ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ହୋଇଥିଲା। ଗତ ୫୦ ବର୍ଷରେ ଅନେକ ଥର କ୍ରସ ଭୋଟିଂ ହୋଇଛି, କିନ୍ତୁ ସରକାର କେବେ ଭାଙ୍ଗିନି।

Tags: #Politics #IndianPolitics #MaharastraPolitics #EknathShinde #Shivsena

Comment