ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଯଶଓ୍ୱନ୍ତ ସିହ୍ନା ହୋଇଛନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ। ମଙ୍ଗଳବାର ବିରୋଧୀ ଦଳ ବୈଠକରେ ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଯଶଓ୍ୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ।

ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଦାୟିତ୍ଵରେ ଥିଲେ ଯଶଓ୍ୱନ୍ତ ସିହ୍ନା। ବିରୋଧୀଙ୍କ ପ୍ରସ୍ତାବ ଥିବାରୁ ଆଜି ପୂର୍ବାହ୍ନରେ ଟିଏମସିରୁ ଇସ୍ତଫା ଦେଇଥିଲେ ଯଶଓ୍ୱନ୍ତ ସିହ୍ନା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ଟିଏମସି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସିହ୍ନାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ମୋଟ ୧୯ଟି ବିରୋଧୀ ଦଳ ସିହ୍ନାଙ୍କୁ ସମର୍ଥନ କରିଛନ୍ତି।

ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପୂର୍ବରୁ ଯଶଓ୍ୱନ୍ତ ସିହ୍ନା ଆଜି ଏକ ଟୁଇଟ କରି ଏ ସମ୍ପର୍କରେ ସଙ୍କେତ ଦେଇଥିଲେ। ଏହା ସହ ସେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଶରଦ ପାୱାର, ଫାରୁକ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିରୋଧୀ ପ୍ରସ୍ତାବ ଦେଇଥିଲେ, କିନ୍ତୁ ବିରୋଧୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏହି ନେତାମାନେ।

ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ଗତ ସୋମବାର ବିରୋଧୀ ଦଳ ନେତାଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରସ୍ତାବରୁ ଓହରି ଯାଇଥିଲେ। ଏହା ପରେ ବିରୋଧୀ ଯଶଓ୍ୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରିଥିଲେ। ପରେ ତୃଣମୂଳ କଂଗ୍ରେସ ତରଫରୁ ଯଶଓ୍ୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ୧୯ଟି ବିରୋଧୀ ଦଳ ସମର୍ଥନ କରିଥିଲେ। ୨୦୧୮ରେ ଯଶଓ୍ୱନ୍ତ ସିହ୍ନା ବିଜେପିରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ।

Tags: #Politics #IndianPolitics #Election #PresidentElection #Opposition #YashwantSinha

Comment