ଓଡ଼ିଶାଲାଇଭ୍ ବ୍ୟୁରୋ

ଏନଡିଏ ପକ୍ଷରୁ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି ଜାଣିବାକୁ ଦ୍ରୌପଦୀ ମୁର୍ମୁ କିଏ ଏବଂ ବିଜେପି କାହିଁକି ତାଙ୍କୁ ପ୍ରାର୍ଥୀ ଭାବେ ଚୟନ କଲା?

ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ବିଭିନ୍ନ ମହଲରୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ଦିନେ କାଉନସିଲର ଥିଲେ ଆଜି ସେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

ହଷ୍ଟେଲରେ ରହି ରାଜଧାନୀରେ ପାଠ ପଢ଼ୁଥିଲେ

ପିଲାଟି ବେଳରୁ ଦ୍ରୌପଦୀ ମୁର୍ମୁ ଭଲ ପାଠପଢ଼ୁଥିଲେ। ୧୯୬୦ ମସିହାରେ ସପ୍ତମ ପାସ୍ କରିବା ପରେ ସେ ଭୁବନେଶ୍ଵର ୟୁନିଟ-୨ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠପଢ଼ିବା ପାଇଁ ଆସିଥିଲେ। ସେତେବେଳେ ସେ ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ମସିହା ପର୍ଯ୍ୟନ୍ତ ହାଇସ୍କୁଲ ପଢ଼ା ସମାପ୍ତ କରିଥିଲେ। ୧୯୭୪ ମସିହାରେ ସେ ହାଇସ୍କୁଲ ପାସ୍ କରିଥିଲେ, କିନ୍ତୁ ତାଙ୍କୁ କଲେଜ ପାଠପଢ଼ିବା ପାଇଁ ସୁଯୋଗ ମିଳିନଥିଲ।

କାରଣ କଲେଜରେ ପଢ଼ିବା ପାଇଁ ଆବେଦନ କରିବାକୁ ପଡ଼େ ବୋଲି ଜାଣିନଥିଲେ ଦ୍ରୌପଦୀ ମୁର୍ମୁ। ପରେ ସେ ରମା ଦେବୀ ମହିଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ପରେ ରମାଦେବୀ ଆଦିବାସୀ ଛାତ୍ରୀ ନିବାସରେ ରହି ପାଠ ପଢ଼ିଥିଲେ ସେ। ହଷ୍ଟେଲରେ ରହିବା ସମୟରେ ସେ ମେସ୍ ପରିଚାଳନା ଦାୟିତ୍ଵରେ ରହିଥିଲେ। ରମାଦେବୀ ମହିଳା ମହାବିଦ୍ୟାଳୟରୁ ସେ ୧୯୭୯ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗରେ କନିଷ୍ଠ ସହାୟିକା ଭାବେ ନିଯୁକ୍ତ ହୋଇଥିଲେ।

ସରକାରୀ ଚାକିରୀ ଛାଡ଼ିଥିଲେ

ଗ୍ରାଜୁଏସନ ଡିଗ୍ରୀ ହାସଲ କରିବା ପରେ ସରକାରୀ ଚାକିରୀରେ ନିଯୁକ୍ତ ହୋଇଥିଲେ ଦ୍ରୌପଦୀ ମୁର୍ମୁ। କିଛି ବର୍ଷ ପରେ ସରକାରୀ ଚାକିରୀ ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ। ପରେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ।

୧୯୯୭ରେ ରାଜନୀତିକୁ ଆସିଲେ

କିଛି ଦିନର ଚାକିରୀ ଜୀବନ ପରେ ରାଜନୀତି ପ୍ରତି ମନବଳାଇ ଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ରାଜନୀତି ମଇଦାନକୁ ପ୍ରବେଶ କରିଥିଲେ ଦ୍ରୌପଦୀ। ୧୯୯୭ ମସିହାରେ ସେ ପ୍ରଥମେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳି ଥିଲେ। ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ଆସନରୁ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଦୁଇ ଥର ବିଧାୟିକା ଏବଂ ମନ୍ତ୍ରୀ ଦାୟିତ୍ଵ ତୁଲାଇବା ପରେ ସେ ଜଣେ ସକ୍ରିୟ ବିଜେପି କର୍ମୀ ଏବଂ ଆଦିବାସୀ ଚେହେରା ଭାବେ ଦେଶରେ ପରିଚିତ ହୋଇଥିଲେ।

ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ ଥିଲେ

ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ବିଜେପି)ର ମେଣ୍ଟ ଶାସନ ସମୟରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ (ସ୍ୱାଧୀନ) ଭାବେ ୨୦୦୦ ମସିହା ମାର୍ଚ୍ଚ ୬ ତାରିଖରୁ ୨୦୦୨ ମସିହା ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୨ ମସିହା ଅଗଷ୍ଟ ୬ ତାରିଖରୁ ୨୦୦୪ ମସିହା ମେ’ ୧୬ ତାରିଖ ପର୍ଯ୍ୟନ୍ତ ସେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଥିଲେ। ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ଅଛନ୍ତି। ୧୯୯୭ ମସିହାରେ ତାଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା।

୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ବିଜେପି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ଵରେ ଥିଲେ। ଏହା ସହ ୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିଲେ ଦ୍ରୌପଦୀ ମୁର୍ମୁ।

ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଥିଲେ

ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ଦ୍ରୌପଦୀ ମୁର୍ମୁଙ୍କର ପରିଚୟ ରହିଛି। ୨୦୧୫ ମସିହା ମେ’ ୧୮ ତାରିଖରେ ସେ ହୋଇଥିଲେ ଖାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ। ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ ସେ। ଦୁଇ ଦଶନ୍ଧି ଧରି ଉଭୟ ରାଜନୀତି ଓ ସାମାଜିକ କ୍ଷେତ୍ରରେ ତାଙ୍କର ପ୍ରତିଷ୍ଠା ରହିଆସିଛି।

‘ନୀଳକଣ୍ଠ ପୁରସ୍କାର’ର ଅଧିକାରିଣୀ ଦ୍ରୌପଦୀ ମୁର୍ମୁ

୨୦୦୭ ମସିହାରେ ଓଡ଼ିଶା ବିଧାନସଭା ପକ୍ଷରୁ ସର୍ବଶ୍ରେଷ୍ଠ ବିଧାୟକ ରୂପରେ ତାଙ୍କୁ ‘ନୀଳକଣ୍ଠ ପୁରସ୍କାର’ ପ୍ରଦାନ କରାଯାଇଥିଲା। ୧୯୯୭ ମସିହାରେ ରାଇରଙ୍ଗପୁର ଏନଏସିରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୦ ମସିହାରେ ତାଙ୍କୁ ମୟୂରଭଞ୍ଜ (ପୂର୍ବ)ର ଜିଲ୍ଲା ସଭାପତି କରାଯାଇଥିଲା। ୨୦୧୩ରେ ପୁଣି ଥରେ ସେ ଏହି ପଦବୀରେ ନିର୍ବାଚିତ ହୋଇଥିଲେ।

ରାଇରଙ୍ଗପୁର ଏନଏସିରୁ ରାଜନୀତି ଆରମ୍ଭ କରି ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଥିଲେ ଦ୍ରୌପଦୀ ମୁର୍ମୁ। ଏବେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର ସର୍ବୋଚ୍ଚ ପଦବୀ ଲାଗି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଓଡ଼ିଶା ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି। ଯଦି ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ଓଡ଼ିଶାର ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପ୍ରାପ୍ତ କରିବେ।

Tags: #Politics #IndianPolitics #PresidentElection #DraupadiMurmu #RaisinaHills #Rairangpur

Comment