ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୨୪ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ଏନଡିଏ ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ। ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେଡି ଉପସ୍ଥିତ ରହିବ। ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କ୍ୟାବିନେଟର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଭାବେ ସ୍ଵାକ୍ଷର କରିଛନ୍ତି। ଏହି ଅବସରରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଦୁଇ ମନ୍ତ୍ରୀ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ ସମୟରେ ମଧ୍ୟ ଉପସ୍ଥିତ ରହିବେ।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବାରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫୋନ୍ ଯୋଗେ କଥା ହୋଇଥିଲେ। ପ୍ରାର୍ଥିପତ୍ର ଦାଖଲ ଉତ୍ସବରେ ସାମିଲ ହେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜେପି ନଡ୍ଡାଙ୍କ କଥାକୁ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କୁ ପ୍ରାର୍ଥିପତ୍ର ଦାଖଲ ସମୟରେ ଉପସ୍ଥିତ ରହିବା ସହ ପ୍ରାର୍ଥିପତ୍ରରେ ସ୍ଵାକ୍ଷର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୁଧବାର ଦିନ ଟୁଇଟ କରିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ।

Tags: #Politics #IndianPolitics #PresidentialCandidate #Nomination #DraupadiMurmu #BJP #BJD

Comment