ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ବନ୍ଦେ ଉତ୍କଳ ଜନନୀ ଓ ପରେ ପରେ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରିବା ଚିତ୍ରରୁ ଆରମ୍ଭ ହୋଇଥିଲା ଈଟିଭି ଓଡ଼ିଆର ପ୍ରସାରଣ ସେବା। ସେଇଠୁ ହିଁ ଈଟିଭିର ଜନ୍ମ। ତେଣୁ ଶ୍ରୀଜଗନ୍ନାଥଙ୍କ ବ୍ୟତିରେକ କି କୌଣସି କାର୍ଯ୍ୟକ୍ରମ କରିବା ସମ୍ଭବ? ହଁ, ସେଥିପାଇଁ ତ, ଦୂରଦର୍ଶନ ସହିତ ଲଢ଼ି, ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଶେଷରେ ରଥଯାତ୍ରାର ସିଧାପ୍ରସାରଣ କରିବା ପାଇଁ ଅନୁମତି ପାଇଥିଲା ଈଟିଭି। ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ଈଟିଭିର ଜନ୍ମ ଏବଂ ସେହି ବର୍ଷ ହିଁ ରଥଯାତ୍ରାର ସିଧାପ୍ରସାରଣ କରିବାରେ ବିଶ୍ୱର ପ୍ରଥମ ଘରୋଇ ଟେଲିଭିଜନ ଚାନେଲ ଭାବେ ସୌଭାଗ୍ୟ ଅର୍ଜନ କରିଥିଲା ଈଟିଭି ଓଡ଼ିଆ। ପ୍ରଥମ ବର୍ଷ ପରେ ପରବର୍ତ୍ତୀ ବର୍ଷଗୁଡ଼ିକରେ ରଥଯାତ୍ରା ବ୍ୟତୀତ ବାହୁଡ଼ାଯାତ୍ରା, ସୁନାବେଶ, ଅଧର ପଣା ଏବଂ ନୀଳାଦ୍ରି ବିଜେ, ଏ ସମସ୍ତ ପର୍ବ ଓ ନୀତିର ସିଧାପ୍ରସାରଣ କରିଥିଲା ଈଟିଭି।

ରଥଯାତ୍ରା ପାଖେଇ ଆସିଲେ ଈଟିଭିର ପ୍ରୋଗ୍ରାମିଂ ଟିମ୍ ପାଇଁ ଚିନ୍ତା ବଢ଼େ କେମିତି ହେବ ସିଧାପ୍ରସାରଣ ପାଇଁ ବ୍ୟବସ୍ଥା। ହାଇଦ୍ରାବାଦରୁ ଡିଏସଏନଜି ଭ୍ୟାନ୍ ବା ଓବି ଭ୍ୟାନ୍ ଆସିବ, ବୈଷୟିକ ଟିମ୍ ପୁରୀରେ ପହଞ୍ଚିବ, ଏ ସବୁଥି ପାଇଁ ବ୍ୟବସ୍ଥା। ଖାଲି କ’ଣ ସେତିକି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ବିଶିଷ୍ଟ ସାହିତ୍ୟିକ, ସୁବକ୍ତା ଏବଂ ପ୍ରବଚକମାନଙ୍କୁ ସମ୍ପର୍କ କରିବା, ସେମାନଙ୍କୁ ନେଇ ରଥଯାତ୍ରାର ଧାରାବିବରଣୀ ପ୍ରଦାନ ଲାଗି ବ୍ୟବସ୍ଥା କରାଇବା ଥିଲା ସବୁଠୁ ବଡ଼ ଚାଲେଞ୍ଜ।

ଈଟିଭି ମାଧ୍ୟମରେ ବିଶିଷ୍ଟ ଭାଷ୍ୟକାର ପ୍ରଫେସର ହରେକୃଷ୍ଣ ଶତପଥୀ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା, ଡକ୍ଟର ନିରଞ୍ଜନ ମିଶ୍ର, ଘନଶ୍ୟାମ ମିଶ୍ର, ଡକ୍ଟର ତୁଳସୀ ଓଝା, ଡକ୍ଟର ମନୋରମା ମହାପାତ୍ର, ଡକ୍ଟର ଶୀର୍ଷାନନ୍ଦ ମିଶ୍ର, ଡକ୍ଟର ଶରତ କୁମାର କର, ଡକ୍ଟର ରଜତ କୁମାର କର, ଡକ୍ଟର ଅର୍ଚ୍ଚନା ନାୟକ, ଡକ୍ଟର ରତ୍ନାକର ଚଇନି, ପଦ୍ମନାଭ ତ୍ରିପାଠୀ, ପ୍ରଫୁଲ୍ଲ ପଟ୍ଟନାୟକ, ଅରକ୍ଷିତ ଦାସ, ଡକ୍ଟର ସରୋଜିନୀ ଷଡ଼ଙ୍ଗୀ, ଶଙ୍କର୍ଷଣ ମଙ୍ଗରାଜ, ଅଧ୍ୟାପକ ଶୁକଦେବ ମହାନ୍ତି ଏବଂ ଶୁକଦେବ ଷଡ଼ଙ୍ଗୀ ପ୍ରମୁଖ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲେ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାରୁ ନୀଳାଦ୍ରିବିଜେ ଯାଏଁ ପ୍ରତିଟି ଅବସରର ଧାରାବିବରଣୀ। ଈଟିଭି ହିଁ ପ୍ରଥମ ଥର ପାଇଁ ନେପଥ୍ୟରେ ଥିବା ଏହି ଭାଷ୍ୟକାରମାନଙ୍କୁ ପରଦା ଉପରକୁ ଆଣି ସିଂହଦ୍ୱାର, ମହୋଦଧି କୂଳ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ କ୍ୟାମେରା ସମ୍ମୁଖରେ ଧାରାବିବରଣୀ ଏବଂ ଉପସ୍ଥାପନ ଲାଗି ବ୍ୟବସ୍ଥା କରାଇଥିଲା। ସିଧାପ୍ରସାରଣ ବ୍ୟତୀତ, ଈଟିଭି ପ୍ରସ୍ତୁତ କରୁଥିଲା ଏକ ଭଜନ ଓ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ନୀଳଚକ୍ରେ ହେ …’ ।

ପ୍ରଖ୍ୟାତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ, ଅରବିନ୍ଦ ମୁଦୁଲି, ଚିତ୍ତ ଜେନା, ଡକ୍ଟର ସଂଗୀତା ଗୋସାଇଁ ପ୍ରମୁଖ ଏଥିରେ ଭଜନ ପରିବେଷଣ କରିଛନ୍ତି। ପ୍ରଥମ ଥର ପାଇଁ ଧାରାବିବରଣୀ ମଝିରେ ସଂଗୀତ ଓ ଭଜନ ପରିବେଷଣର ପରମ୍ପରା ବି ଆରମ୍ଭ କରିଥିଲା ଈଟିଭି। ସେହିଭଳି ପ୍ରଥମ ଥର ପାଇଁ ଟେଲିଭିଜନ ପରଦାରେ ଗ୍ରାଫିକ୍ସ ମାଧ୍ୟମରେ ରଥଯାତ୍ରା ସମ୍ପର୍କିତ ତଥ୍ୟ ପରିବେଷଣ କରିଥିଲା ଈଟିଭି। ଏହାସହ ଦର୍ଶକମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ସଚେତନତା ସୃଷ୍ଟି ସହିତ, ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଈଟିଭି ଆୟୋଜନ କରୁଥିଲା ଦୁଇଟି ପ୍ରତିଯୋଗିତା। ଗୋଟିଏ ଜୟଜଗନ୍ନାଥ ପ୍ରତିଯୋଗିତା, ଯେଉଁଥିରେ ଚିତ୍ରଶିଳ୍ପୀ ଏବଂ ଯେକୌଣସି ଜଗନ୍ନାଥପ୍ରେମୀ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଚିତ୍ର ପ୍ରସ୍ତୁତ କରି ଏଥିରେ ସାମିଲ ହୋଇପାରୁଥିଲେ। ଦ୍ୱିତୀୟଟି ଥିଲା ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ କ୍ୱିଜ୍। ଏଥିରେ ରଥଯାତ୍ରା ସିଧାପ୍ରସାରଣ ବେଳେ ଦର୍ଶକମାନଙ୍କୁ ରଥଯାତ୍ରା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚରା ଯାଉଥିଲା। ଏହାର ଉତ୍ତର ଦର୍ଶକମାନେ ଏସ୍.ଏମ୍.ଏସ୍ ମାଧ୍ୟମରେ ପ୍ରତିଯୋଗିତାରେ ଭାଗ ନେଇପାରୁଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରୁ କିଛି ଚିହ୍ନିତ ପ୍ରତିଯୋଗୀ ହେଉଥିଲେ ପୁରସ୍କୃତ।

ଏ ତ ଥିଲା ଈଟିଭି ଓଡ଼ିଆର ପ୍ରୋଗ୍ରାମିଂ ଟିମ୍ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ। ଅନ୍ୟପକ୍ଷରେ ଈଟିଭି ନ୍ୟୁଜ୍ ପକ୍ଷରୁ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା ଏକ ଅଭିନବ ପ୍ରୟାସ, ଯାହାର ନାଁ ଥିଲା ‘ଜୀବନ ଜଗନ୍ନାଥ’। ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରିବିଜେ ଯାଏଁ ପ୍ରତିଦିନ ବିଭିନ୍ନ ନ୍ୟୁଜ୍ ବୁଲେଟିନରେ ଏକ ସ୍ୱତନ୍ତ୍ର ବିଭାଗ ଭାବେ ପ୍ରସାରିତ ହେଉଥିଲା ଜୀବନ ଜଗନ୍ନାଥ। ଏହାର ତଥ୍ୟ କେବଳ ଶ୍ରୀକ୍ଷେତ୍ରଭିତ୍ତିକ ନଥିଲା। ଶ୍ରୀକ୍ଷେତ୍ରର ଭୌଗୋଳିକ ସୀମାରେଖା ବାହାରେ ଶ୍ରୀଜଗନ୍ନାଥ ଚେତନା କିଭଳି ଭାବେ ଆମ ଜୀବନ ସତ୍ତାକୁ ଆବୋରି ବସିଛି ଏବଂ ଜୀବନଟା କେମିତି ଜଗନ୍ନାଥମୟ ହୋଇ ଉଠିଛି, ତାହା ହିଁ ଥିଲା ଏହାର ମୂଳ ବିଷୟବସ୍ତୁ। 

ଶ୍ରୀଜଗନ୍ନାଥଙ୍କ ସେବାରେ ନିୟୋଜିତ ସେବାୟତଙ୍କଠାରୁ ଆରମ୍ଭ କରି, ଶ୍ରୀଜଗନ୍ନାଥଙ୍କୁ ନେଇ ନିଜ ଜୀବନ ଜୀବିକା ଚଳାଉଥିବା ଅନେକ ମଣିଷକଙ୍କ କାହାଣୀ ସ୍ଥାନ ପାଉଥିଲା ଏଥିରେ। ସେ ଖୋର୍ଦ୍ଧାର ସୋଲ କାରିଗର ହୁଅନ୍ତୁ ବା ଶ୍ରୀମନ୍ଦିରକୁ ପ୍ରତିଦିନ ତୁଳସୀ ଓ ଦୟଣା ଯୋଗାଉଥିବା ସେବାୟତ, ସେ ଗଡ଼ଜାତରେ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତି ହେଉ ବା ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଗୋପନ ରହଣୀ କାଳର ସ୍ମୃତିଚିହ୍ନ, ସବୁକିଛି ସ୍ଥାନ ପାଇଥିଲା ‘ଜୀବନ ଜଗନ୍ନାଥ’ରେ।

ଜୀବନ ଜଗନ୍ନାଥକୁ ପ୍ରତିବର୍ଷ ଏକ ସିରିଜ୍ ଭାବେ ପ୍ରସ୍ତୁତ କରୁଥିଲା ଈଟିଭି ନ୍ୟୁଜ୍ ଟିମ୍। ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହାକୁ ପ୍ରସ୍ତୁତ କରାଯାଉଥିଲା। ପ୍ରଥମ ବର୍ଷ ଏହି କାର୍ଯ୍ୟକ୍ରମକୁ ଅର୍ଦ୍ଧେନ୍ଦୁ ଦାସ (ବର୍ତ୍ତମାନ ବଡ଼ ଖବର ଚାନେଲର ସମ୍ପାଦକ) ପ୍ରସ୍ତୁତ କରିଥିଲାବେଳେ ୨୦୦୫ ମସିହାରେ ଏହାକୁ ପ୍ରସ୍ତୁତ କରିଥିଲେ ସନ୍ତୋଷ ମହାପାତ୍ର। କିନ୍ତୁ ୨୦୦୬ରୁ ୨୦୧୦ ମସିହା ଯାଏଁ ଜୀବନ ଜଗନ୍ନାଥ ସିରିଜର ଦାୟିତ୍ୱ ନେଇଥିଲା ଏହି ଲେଖକ।

ଏଥିପାଇଁ ରାଜ୍ୟର ବିଭିନ୍ନ ଭାଗରେ ଥିବା ରିପୋର୍ଟରଙ୍କ ସମେତ ଭୁବନେଶ୍ୱରରୁ ଶିଶିର ଭଟ୍ଟମିଶ୍ର, ରାଧାମାଧବ ମିଶ୍ର, ଭବାନୀ ଶଙ୍କର ତ୍ରିପାଠୀ ଏବଂ ଶରତ ପାଇକରାୟ ତଥ୍ୟ ପ୍ରଦାନ କରୁଥିଲେ। ଏହା ବ୍ୟତୀତ ଗୁଜରାଟ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ଗୁଆହାଟୀ ଆଦି ସ୍ଥାନରେ ଥିବା ରିପୋର୍ଟରମାନେ ବି ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ତଥ୍ୟ ଓ ଚିତ୍ର ପ୍ରଦାନ କରିଥିଲେ। ଏହା ହିଁ କାର୍ଯ୍ୟକ୍ରମର ଚିତ୍ର ଓ ଚରିତ୍ରକୁ ଅଧିକ ସମୃଦ୍ଧ କରିପାରିଥିଲା।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟେଲିଭିଜନରେ କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ପରୀକ୍ଷା ନିରୀକ୍ଷା। ଆଉ ଏହି କାମଟି ସେତେବେଳେ ଈଟିଭି ଓଡ଼ିଆ ଅତି ସୁଚାରୁ ରୂପେ କରିପାରିଥିଲା। ଆଜି ଅତ୍ୟାଧୁନିକ ଗ୍ରାଫିକ୍ସ ବ୍ୟବସ୍ଥା ଓ ଡିଜିଟାଲ ଭିଜୁଆଲାଇଜେସନ୍ ମାଧ୍ୟମରେ ଯେଉଁ କାମ କରି ହେଉଛି, ତାହା ସେତେବେଳେ କରିବା ସମ୍ଭବ ହେଉନଥିଲା ବା ବ୍ୟୟବହୁଳ ଥିଲା। ତେଣୁ ନିର୍ଦ୍ଧାରିତ ତଥା ପୂର୍ବ ମଞ୍ଜୁର ବଜେଟର ଚୌହଦି ଭିତରେ ରହି, କିଭଳି ଭାବେ ସୃଜନାତ୍ମକ ପରିପ୍ରକାଶ କରାଯାଇପାରିବ, ତାହା ଥିଲା ଚାଲେଞ୍ଜ। ଅତୀତ, ଇତିହାସର କଥା କହିଲା ବେଳେ, ସେ ସମୟର କୌଣସି ଚିତ୍ର ଉପଲବ୍ଧ ନହେବା ସ୍ୱାଭାବିକ।

ଏଇ ଯେମିତି ଭକ୍ତ ବଳରାମ ଦାସଙ୍କୁ ରଥ ଉପରୁ ତିରସ୍କାର କରି ଠେଲି ଦେବା ବା ସେ ମହୋଦଧି କୂଳରେ ବସି ବାଲି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ବଡ଼ଦାଣ୍ଡରେ ରଥ ଅଟକାଇ ଦେବା ଘଟଣା, ଶ୍ରୀମନ୍ଦିର ଉପରେ ବିଭିନ୍ନ ବାହ୍ୟଶତ୍ରୁଙ୍କ ଆକ୍ରମଣର ଇତିହାସ, ଏସବୁକୁ ଅତି ନିଖୁଣ ଭାବେ ଉପସ୍ଥାପନ କରୁଥିଲା ଈଟିଭି। ସେହିଭଳି ରଥଯାତ୍ରାର ଇତିହାସ ଅଥବା ପ୍ରତିବର୍ଷ ଛଅଟି ନୂଆ ରଥ ନିର୍ମାଣର ପରମ୍ପରା କାହିଁକି ସୃଷ୍ଟି ହୋଇଥିଲା ଏବଂ କିଭଳି ବନ୍ଦ ହେଲା, ସେ ସମ୍ପର୍କିତ ତଥ୍ୟ ବି ଅତି ସୁରୁଖୁରୁରେ ଉପସ୍ଥାପିତ ହୋଇଥିଲା ଜୀବନ ଜଗନ୍ନାଥରେ।

ଏଥିପାଇଁ ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଧୂରୀଣ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଇତିହାସର ଚିତ୍ରକୁ ବିଭିନ୍ନ ଡ୍ରଇଂ ସିଟ୍ ଉପରେ ରଙ୍ଗ ଓ ତୂଳୀ ସହାୟତାରେ ଅଙ୍କନ କରାଯାଉଥିଲା। ଏହି ଚିତ୍ରକୁ ପୁଣି ବ୍ଲକ୍ ସଟ୍ ଓ କ୍ୟାମେରା ମୁଭମେଣ୍ଟ ମାଧ୍ୟମରେ ବିଭିନ୍ନ ସଟ୍ ସୁଟିଂ କରି, ତାକୁ ଭିଜୁଆଲ ଭାବେ ବ୍ୟବହାର କରାଯାଉଥିଲା। ଏହିଭଳି ଏକ ପରୀକ୍ଷଣକୁ ସେ ସମୟରେ ଦର୍ଶକ ଅତି ଗୁରୁତ୍ୱର ସହ ବିଚାର କରିଥିଲେ ଏବଂ ଏହା ଦର୍ଶକୀୟ ଆଦୃତି ଲାଭ କରିବାରେ ଢେର ସକ୍ଷମ ହୋଇଥିଲା।

ପୁରାଣ ଓ ଇତିହାସର ଏ ସମସ୍ତ କାହାଣୀକୁ ନିଜ ରଙ୍ଗ ଓ ତୂଳୀରେ ଅତି ନିଖୁଣ ଭାବେ ଅଙ୍କନ କରିଥିଲେ ବିଶିଷ୍ଟ ଶିଳ୍ପୀ ବଳଦେବ ମହାରଥା। ପବର୍ତ୍ତୀ ସମୟରେ ଏହି ପରୀକ୍ଷଣକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟମାନେ ବ୍ୟବହାର କରି ଟେଲିଭିଜନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ନଜିର ରହିଛି। ଆଜିକାଲି ଇଲଷ୍ଟ୍ରେସନରେ ଏହା ପ୍ରସ୍ତୁତ କରାଯାଇପାରୁଛି। ତେବେ ବୈଷୟିକ ଜ୍ଞାନ କୌଶଳରେ ବିକାଶ ହୋଇଥିଲେ ବି, ଯେତେବେଳେ ସେହି ପୁରୁଣା ସମୟକୁ ମନେ ପକାଯାଉଛି, ସେତେବେଳେ ଏହା ଏକ ମାଇଲଖୁଣ୍ଟ ଭଳି ପ୍ରତୀୟମାନ ହେଉଛି। କେବଳ ରଥଯାତ୍ରା ନୁହେଁ, ଭଦ୍ରକର ମା’ ଭଦ୍ରକାଳୀଙ୍କ ଆବିର୍ଭାବର କାହାଣୀ ବି ଏମିତି ହିଁ ଚିତ୍ରାଙ୍କନ ମାଧ୍ୟମରେ ଉପସ୍ଥାପନ କରାଇଥିଲା ଈଟିଭି। ଏହାକୁ ସେ ସମୟର ଈଟିଭିର ଏକ ସଫଳ ପରୀକ୍ଷଣ କହିଲେ ଭୁଲ ହେବନାହିଁ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #DrFakirMohanNahak #Television #ETvOdia #Reporting #RathaYatra #CarFestival

Comment