ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା। ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେବ ପ୍ରଶିକ୍ଷଣ ଶିବିର। ରୋମରେ ଅନୁଷ୍ଠିତ ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି।

ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସଫଳ ରୂପାନ୍ତରଣକୁ ଡବ୍ଲ୍ୟୂଏଫପି ଭୂୟସୀ ପ୍ରଶଂସା କରିଛି। ଏହା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ ଉପାଦେୟ ବୋଲି ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି। ଗତ ୨୨ ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି।  

ଆତ୍ମନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି କୁପୋଷଣ ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ଆଗରେ ରହିଛି। ସମସ୍ତଙ୍କ ସହଭାଗୀତାରେ ରାଜ୍ୟ ଜାତିସଂଘ ଦ୍ୱାରା ସ୍ଥିରିକୃତ ନିରନ୍ତର ବିକାଶ ଲକ୍ଷ୍ୟ ଆଡ଼କୁ ବଢିଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡବ୍ଲ୍ୟୂଏଫପି ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ସାରା ବିଶ୍ୱ ଓଡ଼ିଶାର ଅଭିଜ୍ଞତା ପହଞ୍ଚାଇବାରେ ଖୁବ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଏବଂ ଦୁବାଇ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତ ସମୟରେ ଅନେକ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବିସଲେ ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

Tags: #Politics #CMNaveenPatnaik #ForeignVisit #WFP

Comment