ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ଲାଗି ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ। ଆଜି ଦିନ ପ୍ରାୟ ୧୨ଟା ସମୟରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ।

ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ଏହାସହ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଓଡ଼ିଶାର ବିଜେପିର ୧୨ ଜଣ ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ବହୁ ବରିଷ୍ଠ ନେତାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ସହଯୋଗୀ ଦଳର ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ ବିଜେଡି ସରକାରର ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକାର ଏବଂ ଟୁକୁନି ସାହୁ ମଧ୍ୟ ସାମିଲ ହୋଇଛନ୍ତି।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ବହୁ ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିବା ପରେ ସଂସଦ ଭବନ ଅଭିମୁଖେ ଯାତ୍ରା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ।

ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବା ସମୟରେ ଦ୍ରୌପଦୀ ମୁର୍ମୁ ଏକ ଧଳା ସୁତା ଶାଢ଼ି ପିନ୍ଧି ବାହାରିଥିଲେ। ସାଦାସିଧା ବେଶପୋଷାକ ସାଂଗକୁ ତାଙ୍କର ସାଧାରଣ ଜୀବନ ଶୈଳୀ ବେଶ ବାରି ହୋଇପଡ଼ୁଥିଲା। କଡ଼ା ସୁରକ୍ଷା ମଧ୍ୟରେ ସଂସଦ ଭବନରେ ସେ ପହଞ୍ଚିଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଦ୍ରୌପଦୀ ମୁର୍ମୁ।

Tags: #Politics #IndianPolitics #PresidentialElection #Nomination #DraupadiMurumu

Comment