ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପାଗ ଭଲ ଅଛି’… ଲୋକପ୍ରିୟ ଓଡ଼ିଆ ଫିଲ୍ମ ‘ସକଳ ତୀର୍ଥ ତୋ ଚରଣେ’ ଫିଲ୍ମର ଏ ଡାଇଲଗ ଥିଲା ଅଭିନେତା ରାଇମୋହନ ପରିଡ଼ାଙ୍କର। କିନ୍ତୁ ତାଙ୍କ ଆକସ୍ମିକ ମୃତ୍ୟୁରେ ସାରା ସିନେ ଇଣ୍ଡଷ୍ଟ୍ରି ସ୍ତବ୍ଧ। ତାଙ୍କ ବନ୍ଧୁ ପରିଜନ ଓ ତାଙ୍କୁ ଭଲ ପାଉଥିବା ପ୍ରତ୍ୟେକଟି ମଣିଷଙ୍କ ପାଟିରୁ ଆଜି ଶୁଣିବାକୁ ମିଳୁଛି ‘ପାଗ ଭଲ ନାହିଁ’। ସତରେ ଆଜି ରାଇମୋହନଙ୍କ ଅକାଳ ବିୟୋଗ ଓଡ଼ିଶାର ପାଣିପାଗକୁ ଖରାପ କରିଦେଇଛି।

ଶୁକ୍ରବାର ରାଇମୋହନ ପରିଡ଼ାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ପ୍ରାଚୀ ବିହାର ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେବେ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି।

ରାଇମୋହନ ପରିଡ଼ା ୧୯୬୩, ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ି ଯାଇଛନ୍ତି ସେ। ‘ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ।

ଓଲିଉଡର ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଓଡ଼ିଆ ଛବି ‘ପକା କମ୍ବଳ ପୋତ ଛତା’ରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ ରାଇମୋହନ। ୧୯୮୬ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ତାଙ୍କୁ ମିଳିଥିଲା ଏକ ଖଳନାୟକର ଭୂମିକା।

‘ପକା କମ୍ବଳ ପୋତ ଛତା’ର ସୁଟିଂ ଆରମ୍ଭ ହେବା ଆଗରୁ ରାଇମୋହନଙ୍କୁ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେବା ଲାଗି ଅଫର୍ ମିଳିଥିଲା। ସେ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ତାରିଣୀ ଗଣନାଟ୍ୟର ଏହି ଅଫରକୁ ସ୍ୱୀକାର କରିଥିଲେ। ରାଇମୋହନଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ହେଲା ‘ଭଙ୍ଗା ଆଇନା’। ଏହାର ନାଟ୍ୟକାର ଥିଲେ ଲୋକପ୍ରିୟ ଲେଖକ ଚିନ୍ମୟ ଦାସ।

ରାଇମୋହନଙ୍କର ପ୍ରଥମ ନାଟକ ‘ଭଙ୍ଗା ଆଇନା’ ସୁପରହିଟ୍ ହେଲା। ତା’ପରେ ସେ କ୍ରମାଗତ ଭାବେ ନାଟକ ନିର୍ଦ୍ଦେଶନା ଦେବାରେ ଲାଗିଥିଲେ।

ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ଇତିମଧ୍ୟରେ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ରାଇମୋହନ ଯାତ୍ରାରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ବି ସକ୍ରିୟ ହେଲେ।

ରାଇମୋହନ ଦାବି କରନ୍ତି ଯେ ସେ ହେଉଛନ୍ତି ଏକମାତ୍ର କଳାକାର ଯିଏ ସିନେମା, ଟେଲିଭିଜନ ଓ ଯାତ୍ରା ସବୁଠି ବୃତ୍ତିଗତ ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି। ସବୁ ଚଳଚ୍ଚିତ୍ର ଅଭିନେତା ଯେ ଯାତ୍ରା ନିର୍ଦ୍ଦେଶକ ହୋଇପାରିବେ, ଏକଥାକୁ ବିଶ୍ୱାସ କରନ୍ତି କରୁନଥିଲେ। ସେ କହୁଥିଲେ, ନାଟ୍ୟକାର ହେଲେ ଫୁଲ ବଗିଚା ଓ ନିର୍ଦ୍ଦେଶକ ହେଉଛନ୍ତି କଳା ଭଅଁର।

ଲୋକପ୍ରିୟ ଫିଲ୍ମ ହେଉଛି ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି।

Comment