ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ହେଲମେଟରେ ବାଇକ୍ ଚଲାଇ ଫାଇନ ଗଣିଲେ ମନ୍ତ୍ରୀ ଏବଂ ବିଧାୟକ। ଏହି ଭଳି ଘଟଣା ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ୪ ଦିନିଆ ବାଲେଶ୍ଵର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସ୍କୁଲ ପରିଦର୍ଶନ କରୁଛନ୍ତି। ଶନିବାର ଦିନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ପରିଦର୍ଶନ ପାଇଁ ବାଇକ୍‌ରେ ବସି ବାହାରିଥିଲେ। ବଇକଟିକୁ ବିଧାୟକ ସ୍ଵରୂପ ଦାସ ଚଲାଉଥିଲାବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପଛରେ ବସି ସ୍କୁଲ ଅଭିମୁଖେ ବାହାରିଥିଲେ। ବିନା ହେଲମେଟରେ ଯାତ୍ରା କରୁଥିବା ଦେଖି ଟ୍ରାଫିକ ପୋଲିସ୍ ଉଭୟ ମନ୍ତ୍ରୀ ଏବଂ ବିଧାୟକଙ୍କୁ ସାଧାରଣ ନାଗରିକଙ୍କ ଭଳି ହେମକାପଦା ଛକଠାରେ ଅଟକାଇ ଥିଲା।

ଟ୍ରାଫିକ୍ ନିୟମ ଭଙ୍ଗ କରି ବିନା ହେଲମେଟରେ ବାଇକ୍‌ରେ ଯାତ୍ରା କରୁଥିବାରୁ ଟ୍ରାଫିକ୍ ପୋଲିସ୍ ଫାଇନ ଲଗାଇଥିଲା। ବାଇକ୍ ମାଲିକଙ୍କ ନାଁରେ ୧ ହଜାର ଟଙ୍କାର ଚାଲାଣ କଟାଯାଇଥିଲା। ଟ୍ରାଫିକ୍ ଥାନାକୁ ଯାଇ ଫାଇନ ଭରିଥିବା ବିଧାୟକ ସ୍ଵରୂପ ଦାସ କହିଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ପିଲା ପାଠପଢ଼ାରେ ଥଙ୍ଗେଇଲେ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ଏକ ସ୍କୁଲକୁ ଯାଇ ତଦାରଖ କରିବା ବେଳେ ଅସନ୍ତୋଷ ପ୍ରକାଶ କରିଥିଲେ। ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ମନ୍ତ୍ରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Tags: #Politics #Eductaion #Rules #TrafficRules #Fine

Comment