ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ରାଷ୍ଟ୍ରପତି ନିର୍ବାଚନ। ସୋମବାର ଦିନ ନିର୍ବାଚନ ଲାଗି ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଦିଲ୍ଲୀ ସଂସଦ ଭବନରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନା। ସିହ୍ନାଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସି ମୁଖ୍ୟ ଫାରୁକ ଅବ୍ଦୁଲ୍ଲା ଏବଂ ବହୁ ବିରୋଧୀ ଦଳର ନେତା ପ୍ରମୁଖ ଉପସ୍ଥିତ ଥିଲେ।

ଗତ ଜୁନ ୨୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ଯଶୱନ୍ତ ସିହ୍ନାଙ୍କ ପଛରେ ଏକାଧିକ ବିରୋଧୀ ଦଳଙ୍କ ସମର୍ଥନ ରହିଛି। ଜୁନ ୨୪ ତାରିଖରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଜନତା ଦଳରୁ ଯଶୱନ୍ତ ସିହ୍ନା ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵରେ ଥିଲେ। ୨୦୧୮ ମସିହା ଏପ୍ରିଲ ୨୧ ତାରିଖରେ ବିଜେପିରୁ ଇସ୍ତଫା ଦେବା ପରେ ୨୦୨୧ ମସିହା ମାର୍ଚ୍ଚ ୧୩ ତାରିଖରେ ଟିଏମସିରେ ସାମିଲ ହୋଇଥିଲେ।

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହେବ। ଆସନ୍ତା ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ହେବ।

Tags: #Politics #IndianPolitics #YoshawantSinha #PresidentialPolls

Comment