ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ସମୟ ନିର୍ଘଣ୍ଟ ହୋଇଛି। ମହାପ୍ରଭୂଙ୍କ ବିଶେଷ ନୀତି ନିମନ୍ତେ ସକାଳ ୧୦ଟା ୩୦ରୁ ଅପରାହ୍ଣ ୨ଟା, ଅପରାହ୍ଣ ୩ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୬ଟା ୩୦ରୁ ରାତି ୯ଟା ଯାଏଁ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଦୁଇ ଦିନ ପରେ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ପୁରୀ ସହର। ଦୁଇବର୍ଷ ହେଲା କୋଭିଡ ମହାମାରୀ କାରଣରୁ ରଥଯାତ୍ରାରୁ ବଞ୍ଚିତ ରହିଥିବା ଭକ୍ତ ମଧ୍ୟ ଚାତକ ପରି ଚାହିଁ ରହିଛନ୍ତି ରଥଯାତ୍ରାରେ ସାମିଲ ହେବାକୁ। ଏଥର ରଥଯାତ୍ରା ସମୟରେ ପୁରୀରେ ଅଧିକ ଭିଡ଼ ହେବାର ଆଶଙ୍କା ରହିଥିବାରୁ ପୋଲିସ୍, ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ରଥଟଣାର ମକଡ୍ରିଲ କରାଯାଇଛି। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥଟଣା, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି।

ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଏହି ଅଭ୍ୟାସ କରାଯାଇଛି। ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ ପାଇଁ ୧୦୮ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ମୁତୟନ ରହିବେ। ଚଳିତ ବର୍ଷ ନୂଆ ପୋଲିସ ଅଧିକାରୀ ଓ କର୍ମଚାରୀ ରଥଯାତ୍ରାରେ ସାମିଲ ହେବାକୁ ଥିବାରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏହି ମକ୍ ଡ୍ରିଲ୍ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଲକ୍ଷଣ ଥିଲେ ପୁରୀକୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଚଳିତ ରଥ ଯାତ୍ରାରେ ସାମିଲ ହେବାକୁ ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

Tags: #Culture #Festival #RathaYatra #NabajyaubanaDarshan #Puri #ShreeJagannath

Comment