ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାର ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଜନଶୁଣାଣିରେ ମୋଟ ୯୨ଟି ଅଭିଯୋଗ ଆସିଥିଲା, ଯେଉଁଥିରେ ବିଭିନ୍ନ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସମସ୍ୟା ସାମିଲ ଥିଲା। ଏଥିରେ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା, ବିଭିନ୍ନ ଭତ୍ତା, ରାସ୍ତାଘାଟ, ଡ୍ରେନ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ, ଜମିଜମା, ନିଯୁକ୍ତି, ମୋବାଇଲ ନେଟୱର୍କ ଭଳି ବିଭିନ୍ନ ଅଭିଯୋଗ ଓ ସମସ୍ୟା ସବୁ ଶୁଣିଥିଲେ ଜିଲ୍ଲାପାଳ। ଏହାର ତୁରନ୍ତ ସମାଧାନ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର (ଜରୁରିକାଳୀନ) କୁନ୍ତୀ ରାଣୀ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସା, ଉପାଧ୍ୟକ୍ଷା ସୌଦାମିନୀ ଡିଲା, ହେମଗିର ବିଡିଓ ଜଗଦୀଶ ଚନ୍ଦ୍ର ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଚିକିତ୍ସା ପାଇଁ ବିଭିନ୍ନ ଆବେଦନକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ଲାଗି ହୋଇଥିବା ଆବେଦନକୁ ଅନୁମୋଦନ ଦିଆଯାଇଥିଲା। ସେହିପରି ଭିନ୍ନକ୍ଷମମାନଙ୍କୁ ତିନିଚକିଆ ସାଇକେଲ ଓ ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଭିନ୍ନକ୍ଷମ ଶିଶୁମାନଙ୍କୁ ହୁଇଲ୍ ଚେୟାର ପ୍ରଦାନ କରିବା ସହ ନିକଟସ୍ଥ ସମନ୍ଵିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ନିୟମିତ ଥେରାପି ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସେହିପରି ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ସ୍ଵୟଂ ସହାୟକ ଗୋଷ୍ଠୀର ୪ ଜଣ ମହିଳାଙ୍କୁ ଅଟୋ ରିକ୍ସା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ସେବାର ଶୁଭାରମ୍ଭ କରିଥିଲେ। ଏହା ସହିତ ୫ଟି ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ବା ଜିପିଏଲ୍ଏଫ୍ ମାଧ୍ୟମରେ କୃଷି ଯନ୍ତ୍ରାଂଶ ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ପାୱାର ଟିଲର, ପମ୍ପ ସେଟ୍, ପାୱାର ସ୍ପ୍ରେୟର, ପଲଭେରାଇଜର ଭଳି କୃଷି ଯନ୍ତ୍ରପାତି ରହିଛି, ଯାହା ସ୍ଥାନୀୟ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ବିଶେଷ ସହାୟକ ହେବ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଏହି ଅଟୋ ରିକ୍ସା ଏବଂ କୃଷି ଯନ୍ତ୍ରାଂଶ ଯୋଗାଇ ଦିଆଯାଉଥିବାବେଳେ ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଆର୍ଥିକ ସହାୟତା ଦେଉଛି।

ଜନଶୁଣାଣି ପରେ ଜିଲ୍ଲାପାଳ ହେମଗିର ସ୍ଥିତ ଶିବସାଗର ପୋଖରୀର ଉନ୍ନତିକରଣ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଥିଲେ। ଏହାପରେ ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀମାନଙ୍କ ସ୍ଥିତି, ଇ-ସ୍ୱାସ୍ଥ୍ୟ ଓ ଯକ୍ଷ୍ମା ଲ୍ୟାବରେ ଟେଷ୍ଟିଂ ବ୍ୟବସ୍ଥା ତଦାରଖ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସମନ୍ଵିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରି ଥେରାପି ନେବା ପାଇଁ ଆସିଥିବା ହିତାଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଅବସରରେ ଜିଲ୍ଲାପାଳ ହେମଗିର ବ୍ଲକର ବିଭିନ୍ନ ସବ୍ ସେଣ୍ଟରରେ କାର୍ଯ୍ୟରତ ୬ ଜଣ କମ୍ୟୁନିଟି ହେଲଥ୍ ଅଫିସରଙ୍କୁ ଲାପଟପ୍ ପ୍ରଦାନ କରିଥିଲେ।

ଏହାପରେ ଜିଲ୍ଲାପାଳ ମନୋହରପୁର ସ୍ଥିତ ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡର କୋଇଲା ଖଣି ପ୍ରକଳ୍ପ ଅଞ୍ଚଳ ଏବଂ ରେଲୱେ ସାଇଡିଂ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଖଣି ପରିଚାଳନା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ। କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତମାନଙ୍କ ପାଇଁ କଲାମେଘାଠାରେ ନିର୍ମିତ ପୁନର୍ବାସ କଲୋନୀକୁ ମଧ୍ୟ ଜିଲ୍ଲାପାଳ ବୁଲି ଦେଖିଥିଲେ।

Tags: #SundargarDistrictAdministration #Public #Collector #JointPublicHearing #Hemgir

Comment