ଓଡ଼ିଶାଲାଇଭ୍ ବ୍ୟୁାରୋ

ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନର ସୁପରିଚାଳନା ନିମନ୍ତେ ଏହି ବୈଠକ ହୋଇଥିଲା। ବାଚସ୍ପତି ହେବା ପରେ ଆଜି ପ୍ରଥମ ଥର ଗୃହ ପରିଚାଳନା କରିଛନ୍ତି ବିକ୍ରମ କଶରୀ ଆରୁଖ।

ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେଶନର କାର୍ଯ୍ୟ ଦିବସ ରହିଛି ୨୪ ଦିନ। କୋଭିଡ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଚାଲିବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ। ଚଳିତ ଥର ଗୃହ କାର୍ଯ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଏବେ ୫ ଘଣ୍ଟା ପରିବର୍ତ୍ତେ ପ୍ରତିଦିନ ୬ ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ବୋଲି ବିଧାନସଭାର ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ଚଳିତ ମୌସୁମୀ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ। ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ ଏବଂ ଜୁଲାଇ ୧୪ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ବୈଠକରେ ବହୁ ମନ୍ତ୍ରୀ ଏବଂ ବିଜେଡି ବିଧାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। 

ବୈଠକ ପୂର୍ବରୁ ଆଜି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଏଥର ବିଧାନସଭା ଅଧିବେଶନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। କାରଣ ବଜେଟ୍ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀ ମଣ୍ଡଳରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି।

ଅନ୍ୟପକ୍ଷରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଧାନସଭା ଲବି ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।

Tags: #Politics #OdishaPolitics #AllPartyMeeting #AssemblyMonsoonSession

Comment