ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ପଦବୀରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ହାଇଡ୍ରାମା ଉପରେ ଯବନିକା ପଡ଼ିଲା। ଏବେ ବିଜେପି ସମର୍ଥରେ ମହାରାଷ୍ଟ୍ରର ରାଜନୀତିର ନୂଆ ମଙ୍ଗୁଆଳ ସାଜିଲେ ଏକନାଥ ସିନ୍ଦେ।

ଗୁରୁବାର ସନ୍ଧ୍ୟାରେ ଏକନାଥ ସିନ୍ଦେ ବିଧିବଦ୍ଧ ଭାବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶଆରୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ବୁଧବାର ଦିନ ଫ୍ଲୋର ଟେଷ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ବିଜେପି ଶିବିରରେ ଉତ୍ସବ ପାଳନ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ ମହାରାଷ୍ଟ୍ର ରାଜନୀତିର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହାରି ମଧ୍ୟରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ଫଡର୍ଣ୍ଣାବିସ। 

ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଗତ ୨୧ ତାରିଖରେ ଦଳର ୨୫ରୁ ଅଧିକ ବିଦ୍ରୋହୀ ବିଧାୟକଙ୍କୁ ସାଙ୍ଗରେ ଧରି ବିଜେପି ଶାସିତ ରାଜ୍ୟରେ ଡେରା ପକାଇଥିଲେ। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଥିବା ଉଦ୍ଧବ ଠାକରେ ଏକନାଥ ଏବଂ ଅନ୍ୟ ବିଧାୟକମାନଙ୍କ ସହ ଆଲୋଚନା କରି ଦଳ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରିବାକୁ କହିଥିଲେ। କିନ୍ତୁ ଶେଷରେ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିଗଲା।

ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କରିଥିଲେ ଦେବେନ୍ଦ୍ର ପଡର୍ଣ୍ଣାବିସ ।

Tags: #Politics #IndianPoliltics #MaharastraPolitics #MaharastraNewCM #CMEkanathShinde #OathTakingCeremony

Comment