ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଏବେ ନୂଆ ମୋଡ଼ ନେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଏବେ ମହାରାଷ୍ଟ୍ରର କମାଣ ସମ୍ଭାଳିବେ ଏକନାଥ ସିନ୍ଦେ।

ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ ଚାଲିଥିଲା ରାଜନୈତିକ ହାଇଡ୍ରାମା। ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ପ୍ରାୟ ୩୯ ଜଣ ବିଧାୟକଙ୍କୁ ନେଇ ବିଜେପି ଶାସିତ ରାଜ୍ୟରେ ଡେରା ପକାଇଥିଲେ। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବ ବୋଲି ଆଶଙ୍କା କରାଯାଉଥିଲା।

ବୁଧବାର ଦିନ ଫ୍ଲୋର ଟେଷ୍ଟକୁ ନେଇ ସୁପ୍ରିୟମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ। ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ବିଜେପି ଶିବିରରେ ଉତ୍ସବ ପାଳନ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏହାରି ମଧ୍ୟରେ ସମସ୍ତଙ୍କୁ ଚକିତ କରିଦେଲା ଭଳି ଘୋଷଣା କରିଛନ୍ତି ଦେବେନ୍ଦ୍ର ଫଡର୍ଣ୍ଣାବିସ। ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଢ଼ିବେ ବୋଲି ଘୋଷଣା କରିଛନ୍ତି ଫଡର୍ଣ୍ଣାବିସ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶଆରୀଙ୍କ ସହ ସାକ୍ଷାତ କରିବା ପରେ ଦେବେନ୍ଦ୍ର ଫଡର୍ଣ୍ଣାବିସ ଏବଂ ଏକନାଥ ସିନ୍ଦେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ଅବସରରେ ଦେବେନ୍ଦ୍ର ଫଡର୍ଣ୍ଣାବିସ ଘୋଷଣା କରିଥିଲେ ଯେ, ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ।

ଫଡର୍ଣ୍ଣାବିସ କହିଥିଲେ ଯେ, ଜନତା ମହାବିକାଶ ଅଘାଡ଼ିକୁ ବହୁମତ ଦେଇନଥିଲେ। ନିର୍ବାଚନ ପରେ ବିଜେପି ସବୁଠାରୁ ବଡ଼ ଦଳ ଥିଲା। ବିଜେପି-ଶିବସେନା ମେଣ୍ଟ ଦ୍ଵାରା ନିର୍ବାଚନ ଲଢ଼ିଥିଲା। କିନ୍ତୁ ଶିବସେନା କଂଗ୍ରେସ ଏବଂ ଏନସିପି ସହ ମିଶି ସରକାର ଗଠନ କରିଥିଲା। ଏହାରି ମଧ୍ୟରେ ଶିବସେନା ବାଲା ସାହେବ ଠାକରେଙ୍କ ଚିନ୍ତାଧାରକୁ ସର୍ବାଗ୍ରେ ରଖିଥିଲା। କିନ୍ତୁ ଏବେ ସମୟ ଆସିଯାଇଛି ସରକାର ପରିବର୍ତ୍ତନ କରିବାର।

ମହରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ସିନ୍ଦେଙ୍କ ନାଁ ଘୋଷଣା କରାଯିବା ପରେ ତାଙ୍କ ଖୁସିର ସୀମା ରହିନଥିଲା। ଏହି ଅସରରେ ବିଦାୟୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିନ୍ଦା କରିବା ସହ ବିଜେପିର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି ଏକନାଥ ସିନ୍ଦେ।

Tags: #Politics #IndianPolitics #MaharastraPolitics #CMMaharastra #EknathSinde

Comment