ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ମହାନାଟକର ଅନ୍ତ ଘଟିଲା। ଫ୍ଳୋର ଟେଷ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଲେ। ଫେସବୁକ୍ ଲାଇଭରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଉଦ୍ଧବ ଠାକରେ।

ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ଉଦ୍ଧବ ଠାକରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିୟମକୋର୍ଟ ଆବେଦନର ଶୁଣାଣି କରି ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଏହା ପରେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ଉଦ୍ଧବ ଠାକରେ। ନିଜ ପଦବୀରୁ ଇସ୍ତଫା ଘୋଷଣାର ଏକ ଘଣ୍ଟା ମଧ୍ୟରେ ଉଦ୍ଧବ ଠାକରେ ରାଜଭବନ ଯାଇ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଇସ୍ତଫା ଦେବା ପରେ ଉଦ୍ଧବ ଠାକରେ ମନ୍ଦିରକୁ ଯାଇ ଠାକୁର ଦର୍ଶନ ସହ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।

ନିଜ ଫେସବୁକ ଲାଇଭରେ ଉଦ୍ଧବ ଠାକରେ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ରାୟକୁ ମୁଁ ସମ୍ମାନ କରୁଛି। ମୋ ପାଖରେ ଶିବସେନା ଅଛି। ଶିବସେନା ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ। ମୁଁ ଚାହୁଁନି ଶିବସୈନିକ ରାସ୍ତାକୁ ଆସନ୍ତୁ। ଯେଉଁମାନଙ୍କୁ ମୁଁ ସବୁକିଛି ଦେଇଥିଲି ସେମାନେ ମୋ ସହ ବିଶ୍ୱାସଘାତ କଲେ। ଯେଉଁମାନଙ୍କୁ ମୁଁ କିଛି ଦେଇ ନଥିଲି ସେମାନେ ମୋ ସହ ଛିଡ଼ା ହୋଇଛନ୍ତି। ପ୍ରତ୍ୟେକ ଶିବସୈନିକଙ୍କ ସହ ମୁଁ ସବୁବେଳେ ରହିବି”।

ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ବିଜେପି ଶିବିରରେ ଖୁସିରର ଲହରୀ ଖେଳିଯାଇଛି। ସମସ୍ତେ ଉତ୍ସବ ମନାଉଛନ୍ତି। ସରକାର ଗଢ଼ିବା ଦିଗରେ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଶିବସେନାରେ ଥିବା କଥା କହୁଥିବା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କାହାକୁ ସମର୍ଥନ କରିବେ ତାକୁ ନେଇ କୌଣସି ସ୍ପଷ୍ଟ ହୋଇପାରି ନାହିଁ।

ମହାରାଷ୍ଟ୍ରରେ ଦୀର୍ଘ ୧୦ ଦିନ ହେବ ଚାଲିଥିବା ରାଜନୈତିକ ନାଟକର ଅନ୍ତ ଘଟିଛି। ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ କିଛି ବିଧାୟକଙ୍କୁ ନେଇ ସୁରଟ ଚାଲିଯାଇଥିଲେ। ସେଠାରେ ରହି ସେ ମହାବିକାଶ ଅଘାଡି ସରକାର ସହ ବିଦ୍ରୋହ କରିଥିଲେ। ସରକାର ଭାଙ୍ଗିବା ପାଇଁ ଋଣନୀତି ପ୍ରସ୍ତୁତ କରିଥିଲେ। ପରେ ସୁରଟରୁ ଗୌହ୍ୱାଟି ଚାଲିଯାଇଥିଲେ। ସେ ନିପାଖରେ ଶିବସେନାର ୩୯ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ।

Tags: #Politics #IndianPolitics #MaharastraPolitics #UddhavThakreyResigns #CMMaharastra

Comment