ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ବିଶ୍ୱର ସବୁଠୁ ବଡ଼ ଓଟିଟି ପ୍ଲାଟଫର୍ମ ୟୁଟ୍ୟୁବ୍। ହେଲେ ସେତେବେଳେ ସେ ଜନ୍ମ ହେବା ପାଇଁ ପ୍ରୟାସ କରୁଥିଲା। ପେନଡ୍ରାଇଭ୍ ତ ସ୍ୱପ୍ନ। ତା’ ବାବଦରେ କେହି ଚିନ୍ତା କରିନଥିଲେ। ଫ୍ଲପି ଡ୍ରାଇଭରେ ଗୋଟିଏ ଫଟୋଗ୍ରାଫ୍ ତା’ ପୁଣି ଆଜିକାଲିକା ଡିଜିଟାଲ ଫଟୋର ପାଞ୍ଚଶହ ଭାଗରୁ ଭାଗେ ସାଇଜର, ସେଥିରେ ହେଉଥିଲା ଡାଟା ଟ୍ରାନ୍ସସଫର। ସିଡି, ଡିଭିଡି ଧୀରେ ଧୀରେ ବଜାରରେ ଆସ୍ଥାନ ଜମାଉଥିଲେ। କ୍ୟାମେରାରେ ବ୍ୟବହାର ହେଉଥିଲା ଟେପ୍। କାର୍ଡ ବ୍ୟବସ୍ଥା ଆସିବା ପାଇଁ ଆହୁରି ଅନେକ ସମୟ ବାକିଥିଲା। ମାନେ ଏ ସବୁକୁ ଏତେ ବେଶୀ ଦିନ ହେଇନି, ଏଇ ସତର ଅଠର ବର୍ଷ ତଳର କଥା। ୨୦୦୫ ମସିହାରେ ଦିନେ ହଠାତ୍ ଈଟିଭି ନ୍ୟୁଜ୍ ଓଡ଼ିଆ ନିଷ୍ପତ୍ତି କଲା, ଏଥର ଓଡ଼ିଶା ବାହାରେ ହେଉଥିବା ରଥଯାତ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତି ସମ୍ପର୍କିତ କିଛି ଷ୍ଟୋରି କରିବା ପାଇଁ।

ତେବେ ଏଥିପାଇଁ ସବୁଠୁ ସହଜ ଉପଲବ୍ଧ ଷ୍ଟୋରି ଥିଲା ପଶ୍ଚିମବଙ୍ଗ ଏବଂ ଗୁଜରାଟରୁ। କାରଣ ଓଡ଼ିଶା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯଦି କୌଣସି ଏକ ଜାତିର ଘରେ ଘରେ ପରିଚିତ, ତାହେଲେ ସେ ହେଉଛନ୍ତି ବଙ୍ଗାଳୀ ଏବଂ ଗୁଜରାଟୀ। ଗୁଜରାଟର ପୋରବନ୍ଦର, ଅହମ୍ମଦାବାଦ, ଗାନ୍ଧୀନଗର, ବରୋଦା, ସୁରତ, ପାଟଣ, ମେହଷାଣା, ଆନନ୍ଦ ଭଳି ପ୍ରାୟ ସବୁ ସହରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର। ସେଇ ସବୁ ସ୍ଥାନରେ ପ୍ରତିବର୍ଷ ଅତି ହର୍ଷୋଲ୍ଲାସରେ ରଥଯାତ୍ରା ପାଳନ କରାଯାଏ। ଅନୁରୂପ ଭାବେ ପଶ୍ଚିମବଙ୍ଗର ମାହେଶ ରଥଯାତ୍ରା ସବୁଠୁ ପ୍ରାଚୀନ। ଶ୍ରୀକ୍ଷେତ୍ର ପରେ ଦ୍ୱିତୀୟ ସର୍ବପୁରାତନ ରଥଯାତ୍ରା ମାହେଶରେ ପାଳିତ ହୁଏ। 

ଆମେରିକାର ନାସଭିଲେ ଏବଂ ଓ୍ଵେନରେ ରଥଯାତ୍ରା

ସେହିଭଳି ଚନ୍ଦନନଗର, ଚିତ୍ତରଞ୍ଜନ, ଦାର୍ଜିଲିଂ, ମୁର୍ଶିଦାବାଦ, ବାଙ୍କୁଡ଼ା, ମେଦିନୀପୁର, ଚନ୍ଦନନଗର, କଲିକତା ଭଳି ପ୍ରତିଟି ସ୍ଥାନରେ ପାଳିତ ହୁଏ ରଥଯାତ୍ରା। ସେଇଠି ଈଷ୍ଟଦେବୀ ଦୁର୍ଗା ହେଲେ, ଈଷ୍ଟଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ତେଣୁ ଯୋଜନା ମୁତାବକ, ଏଇ ଦୁଇଟି ରାଜ୍ୟରେ ଈଟିଭିର ଆଞ୍ଚଳିକ ଚାନେଲ ଥିବା ଯୋଗୁଁ, ସେଠାରୁ ରଥଯାତ୍ରା ସମ୍ପର୍କିତ ଷ୍ଟୋରି ପାଇବାରେ କୌଣସି ଅସୁବିଧା ନଥିଲା।

କିନ୍ତୁ ଏହାରି ବାହାରେ ଅନ୍ୟସବୁ ରାଜ୍ୟରୁ ରଥଯାତ୍ରା ସମ୍ପର୍କିତ ଷ୍ଟୋରି ସଂଗ୍ରହ କରିବା ପାଇଁ ଈଟିଭି ନେଟୱର୍କର ସହାୟତା ନେବାକୁ ପଡ଼ିଲା। ନ୍ୟୁଜ୍ କୋର୍ଡିନେଟରମାନଙ୍କ ବୈଠକରେ ଈଟିଭି ଓଡ଼ିଆ ପକ୍ଷରୁ ଏହି ଆବଶ୍ୟକତାକୁ ଦର୍ଶାଇ ଦିଆଯିବା ପରେ, ଅନ୍ୟ ସମସ୍ତେ ଆଗ୍ରହର ସହ ନିଜ ନିଜ ରାଜ୍ୟରୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଷ୍ଟୋରି ମଗାଇଥିଲେ। ଯାହାଫଳରେ ଗୁଆହାଟୀ, ମଣିପୁର, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର .. ଏ ସବୁ ସ୍ଥାନରୁ ଷ୍ଟୋରି ମିଳିପାରିଲା। ଦିଲ୍ଲୀରେ ଥିବା ଈଟିଭି ଓଡ଼ିଆର ରିପୋର୍ଟର ଦିଲ୍ଲୀରୁ ରଥଯାତ୍ରାର ଷ୍ଟୋରି ଦେଇଥିଲେ। ଯାହାଫଳରେ ସେହି ବର୍ଷ ହିଁ ପ୍ରାୟ ସାରା ଭାରତର ରଥଯାତ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଷ୍ଟୋରି ନେବାରେ ସକ୍ଷମ ହୋଇଥିଲା ଈଟିଭି।

କିନ୍ତୁ ଏଇଠି ସରିନଥିଲା ଏ ପ୍ରୟାସ। ତା’ ପରବର୍ଷ, ଅର୍ଥାତ୍ ୨୦୦୬ ମସିହା ଜୁଲାଇ ମାସରେ ରଥଯାତ୍ରା ଆସିବା ଢେର ପୂର୍ବରୁ ଈଟିଭି ପୁଣି ଥରେ ଆରମ୍ଭ କଲା ଅନ୍ୟ ଏକ ପ୍ରୟାସ। ଏଥର ଉଦ୍ଦେଶ୍ୟ ଥିଲା ଦେଶ ବାହାରେ ବିଦେଶରେ ହେଉଥିବା ରଥଯାତ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ଦର୍ଶକଙ୍କ ସହିତ ପରିଚିତ କରାଇବା। ଏହାସହ ଦେଶ ବାହାରେ ରହି, ଓଡ଼ିଆ ଏବଂ ଅଣଓଡ଼ିଆ ଜଗନ୍ନାଥପ୍ରେମୀମାନେ କିଭଳି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସେ ସମ୍ପର୍କରେ ଦର୍ଶକଙ୍କୁ ଜଣାଇବା। ଏଥିପାଇଁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଥିଲା ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରୁ। ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍ (OSA) ଏବଂ ଜଗନ୍ନାଥ ସୋସାଇଟି ଅଫ୍ ଆମେରିକାସ୍(JSA) ସହିତ ଆରମ୍ଭ ହେଲା ଯୋଗାଯୋଗ। ଯୋଗାଯୋଗ କହିଲେ ଆଉ କ’ଣ, କେବଳ ଇମେଲ୍ ମାଧ୍ୟମରେ ଈଟିଭିର ଉଦ୍ଦେଶ୍ୟକୁ ସେମାନଙ୍କ ନିକଟରେ ପହଞ୍ଚାଇବା।

କୋଲକାତାରେ ରଥଯାତ୍ରା , ଚେନ୍ନାଇରେ ରଥଯାତ୍ରା ଏବଂ ପଞ୍ଜାବରେ ରଥଯାତ୍ରା

ସେତେବେଳେ ଈଟିଭି ନ୍ୟୁଜର ନ୍ୟୁଜ୍ କୋର୍ଡିନେଟର ନୀଳାମ୍ବର ରଥ ଏ ଦିଗରେ ଯଥାସମ୍ଭବ ପ୍ରୟାସ କରିଥିଲେ। ପ୍ରସ୍ତାବଟି ଆମେରିକାରେ ରହୁଥିବା ଓଡ଼ିଆମାନଙ୍କୁ ବେଶ୍ ମନକୁ ପାଇଥିଲା। ସେତେବେଳେ ନ୍ୟାସଭିଲରେ ଥିବା ଭାରତୀୟ ହିନ୍ଦୁ ମନ୍ଦିରର ଏକ ବଖରାରେ ଥାଆନ୍ତି ଚତୁର୍ଦ୍ଧାମୂର୍ତ୍ତି। କିନ୍ତୁ ପ୍ରତିବର୍ଷ ଅତି ଆନନ୍ଦ ଉଲ୍ଲାସର ସହିତ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ରଥଯାତ୍ରା ପାଳନ କରୁଥାନ୍ତି। କିନ୍ତୁ ସେହିବର୍ଷ ଈଟିଭିର ଅନୁରୋଧ କ୍ରମେ, ସ୍ଥାନୀୟ ଓଡ଼ିଆ ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରବୀର ଦାଶ ଅନ୍ୟମାନଙ୍କ ବୈଷୟିକ ସହାୟତା ନେଇ ରଥଯାତ୍ରାର ଭିଡିଓ ରେକର୍ଡିଂ କରାଇଥିଲେ। ସେହି ଭିଡିଓକୁ କୋରିୟର ମାଧ୍ୟମରେ ପଠାଇଥିଲେ ଈଟିଭି ଓଡ଼ିଆ ମୁଖ୍ୟାଳୟକୁ।

ତେବେ ବିଡ଼ମ୍ବନା ଏଇଆ ଯେ, ସେତେବେଳେ ଈଟିଭି ଓଡ଼ିଆରେ କାର୍ଯ୍ୟରତ କର୍ମଚାରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପ୍ରତିବନ୍ଧକକୁ ଆଗୁଆ ଅନୁମାନ କରିପାରିନଥିଲେ। କାରଣ ଆମେରିକାର ଭିଡିଓ କଲର କୋଡ୍ ଏନ୍.ଟି.ଏସ୍.ସି. (NTSC-National Television Standards Committee) ହୋଇଥିଲାବେଳେ ଭାରତରେ ଏହା ପାଲ୍ (PAL- Phase Alternate Line)ଭିଡିଓ। ତେଣୁ ପ୍ରଥମେ ଆମେରିକାରୁ ଆସିଥିବା ଏହି ଭିଡିଓ ଟେପକୁ ଭାରତୀୟ ଫର୍ମାଟରେ ବଦଳାଇବା ପାଇଁ ଚାଲିଲା ପ୍ରୟାସ। ସମସ୍ତ ବୈଷୟିକ ପ୍ରଚେଷ୍ଟା ସତ୍ୱେ ଏହା ସମ୍ଭବ ହୋଇପାରିଲା ନାହିଁ। ଶେଷରେ ହାଇଦ୍ରାବାଦର ଏକ ଘରୋଇ ଷ୍ଟୁଡିଓକୁ ନେଇ ସେହି ଟେପକୁ ବଦଳାଇବା ସମ୍ଭବ ହୋଇଥିଲା। କିନ୍ତୁ ଏହା ଥିଲା ଏକ ବିରାଟ ଶିକ୍ଷା ଏବଂ ଅନୁଭୂତି। ଆମେରିକାରୁ ଷ୍ଟୋରି ମିଳିସାରିବା ପରେ ସମାନ୍ତରାଳ ପ୍ରୟାସ ଚାଲିଥିଲା ବିଶ୍ୱର ଅନ୍ୟ ଭାଗରେ ଥିବା ଓଡ଼ିଆମାନଙ୍କ ସହାୟତାରେ ଷ୍ଟୋରି ସଂଗ୍ରହ କରିବା।

ଏହି କ୍ରମରେ ଜାପାନର ଟୋକିଓରେ ଅବସ୍ଥାପିତ ତଥାଗତ ସାହୁ ଈଟିଭି ଓଡ଼ିଆକୁ ସହାୟତା କରିଥିଲେ। ସେଠାରେ ଓଡ଼ିଆଙ୍କ ସହିତ ଅନ୍ୟ ପ୍ରବାସୀ ଭାରତୀୟ ଏବଂ ଜାପାନୀମାନଙ୍କ ମିଳିତ ଉଦ୍ୟମରେ କିଭଳି ରଥଯାତ୍ରା ଆୟୋଜିତ ହେଉଥିଲା, ତା’ର ଭିଜୁଆଲ ପାଇବାରେ ସେ ସହାୟକ ହୋଇଥିଲେ। ଏହାସହ ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ ବା ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନସସନେସ୍- ଇସକନ୍ ସହାୟତାରେ ରୁଷିଆଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବ୍ରାଜିଲ୍, ଆର୍ଜେଣ୍ଟିନା, ମେକ୍ସିକୋ, ଜର୍ମାନୀ, ଇଂଲଣ୍ଡ ଆଦି ଦେଶରୁ ରଥଯାତ୍ରାର ଚିତ୍ର ହସ୍ତଗତ କରି ତାକୁ ଏକ କାର୍ଯ୍ୟକ୍ରମରେ ସ୍ଥାନିତ କରିବା ଲାଗି ପ୍ରୟାସ ଚାଲିଲା। କେବଳ ବିଦେଶ ନୁହେଁ, ପୂର୍ବବର୍ଷ ଭଳି ଦେଶର ବିଭିନ୍ନ ଭାଗରେ ଆୟୋଜିତ ରଥଯାତ୍ରାର ଚିତ୍ରକୁ ସଂଗ୍ରହ କରିଥିଲା ଈଟିଭି।

ବିଦେଶୀ ଭକ୍ତ ଏବଂ ଅହମଦାବାଦରେ ରଥଯାତ୍ରା

ଶେଷରେ ୬ ଜୁଲାଇ ୨୦୦୬ରେ ଭାରତୀୟ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଉପସ୍ଥିତି ଏବଂ ତାଙ୍କ ରଥଯାତ୍ରାକୁ ନେଇ ପ୍ରସ୍ତୁତ ହେଲା କାର୍ଯ୍ୟକ୍ରମ –’ଦେଶବିଦେଶରେ ଜଗନ୍ନାଥ’। ଏହାକୁ ଉପସ୍ଥାପନ କରିଥିଲେ ମୃଣାଳକାନ୍ତି ନନ୍ଦ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ଲେଖକ ସୌଭାଗ୍ୟରେ ଜୁଟିଥିଲା କାର୍ଯ୍ୟକ୍ରମ ପ୍ରସ୍ତୁତି ଦାୟିତ୍ୱ। ଏହି କାର୍ଯ୍ୟକ୍ରମକୁ ମିଳିଥିଲା ଢେର ଦର୍ଶକୀୟ ସ୍ୱୀକୃତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ବିଦେଶରେ ଶ୍ରୀଜଗନ୍ନାଥ ପ୍ରେମକୁ ଉପସ୍ଥାପନ କରାଯିବା ସହିତ, ଭାରତ ଆସି ବିଦେଶୀମାନେ କିଭଳି ଶ୍ରୀଜଗନ୍ନାଥ ପ୍ରେମରେ ତଲ୍ଲୀନ ହୋଇଛନ୍ତି, ତାକୁ ବି ଉପସ୍ଥାପନ କରାଯାଇଥିଲା।

ଏହି କ୍ରମରେ ସ୍ଥାନ ପାଇଥିଲା ଆମେରିକାରୁ ଆସି ଭଦ୍ରକରେ ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ସହ ନିଜକୁ ସମ୍ପୂର୍ଣ୍ଣ ରୂପେ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତ କରିଥିବା ଜୁଲିଆନ ପାର୍କରଙ୍କ କାହାଣୀ। ଜୁଲିଆନ ପରବର୍ତ୍ତୀ ସମୟରେ ପାଲଟିଯାଇଛନ୍ତି ଜାହ୍ନବ ନିତାଇ ଦାସ। ସେହିଭଳି ଆଫ୍ରିକୀୟ ଆମେରିକୀୟମାନଙ୍କ ଶ୍ରୀଜଗନ୍ନାଥ ପ୍ରେମ କେଡେ ନିରୁତା ଏବଂ ସୁନ୍ଦର, ତାକୁ ଦେଖିବାକୁ ମିଳିଥିଲା ଦେଶବିଦେଶରେ ଜଗନ୍ନାଥ କାର୍ଯ୍ୟକ୍ରମରେ।

ବିଚାରଯୋଗ୍ୟ କଥା ହେଉଛି ଯେ, ଯଦି ଆଜି ଭଳି ସେହି ସମୟରେ ହ୍ୱାଟସ୍ଆପ୍ କିମ୍ବା ଅନ୍ୟ ସାମାଜିକ ଗଣମାଧ୍ୟମର ବ୍ୟବସ୍ଥା ଥାଆନ୍ତା, ଅଥବା ୱି-ଟ୍ରାନ୍ସଫର୍ ଭଳି ଡାଟା ଟ୍ରାନ୍ସଫର ବ୍ୟବସ୍ଥା ରହିଥାନ୍ତା, ତା’ହେଲେ ସମଗ୍ର ବିଶ୍ୱରୁ ଫଟୋଗ୍ରାଫ୍ ଏବଂ ଭିଜୁଆଲ ସଂଗ୍ରହ କରିବା ଆଦୌ କଷ୍ଟକର ହୋଇନଥାନ୍ତା। ସମସ୍ତ ପ୍ରତିକୂଳତା ସତ୍ତ୍ୱେ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରିବା ଏବଂ ଏହାକୁ ସଫଳ ରୂପାୟନ କରିବା ଥିଲା ସବୁଠୁ ବଡ଼ ଚାଲେଞ୍ଜ। କିନ୍ତୁ ପ୍ରତିକୂଳତାକୁ ପ୍ରତିହତ କରି ଯାହା କରାଯାଏ, ତାହା ପାଲଟିଯାଏ ଇତିହାସ ଏବଂ ସମୟରେଖାରେ ଗୋଟିଏ ମାଇଲଖୁଣ୍ଟ।

ଏଭଳି ଏକ ପ୍ରୟାସ ସହିତ ଆଉ ଏକ ଅଭିନବ ପ୍ରୟାସ କରିଥିଲା ଈଟିଭି। ଯେଉଁ ସମୟରେ କୌଣସି ଭିଜୁଆଲ ଇଣ୍ଟରନେଟରେ ସେୟାର କରିବା କାଠିକର ପାଠ ଥିଲା ଏବଂ ଏହା ବ୍ୟାବସାୟିକ ଦୃଷ୍ଟିକୋଣରୁ ଠିକ୍ ଲାଗୁନଥିଲା, ସେତେବେଳେ ଈଟିଭି ଓଡ଼ିଆ ଚେଷ୍ଟା କରିଥିଲା ବିଦେଶରେ ଥିବା ଦର୍ଶକମାନଙ୍କୁ ଅଡିଓ ଭିଜୁଆଲ ଷ୍ଟୋରି ଦେଖାଇବାର ବ୍ୟବସ୍ଥା କରିବା ଲାଗି। ଏଥିପାଇଁ ଅଢ଼େଇରୁ ତିନି ମିନିଟ୍ ଭିତରେ ଗୋଟିଏ ଗୋଟିଏ ଷ୍ଟୋରି ପ୍ରସ୍ତୁତ କରି, ତାକୁ ସବୁଠୁ କମ୍ ରିଜୋଲ୍ୟୁସନରେ ଛୋଟ୍ ଫାଇଲ୍ ରୂପେ ପ୍ରସ୍ତୁତ କରି, ଈଟିଭିର ୱେବସାଇଟରେ ଅପଲୋଡ୍ କରାଯାଉଥିଲା। ୱେବସାଇଟରୁ କାଳେ ଅନ୍ୟମାନେ କେହି ନେଇଯିବେ, ସେହି ଭୟରେ କେହି ଏଭଳି ପଦକ୍ଷେପ ନେବାକୁ ରାଜି ନଥିଲେ। ତଥାପି ଏହା ଏକ ଐତିହାସିକ ପଦକ୍ଷେପ ଥିଲା।

ଆଜି ଯେ କେହି ଯେ କୌଣସି ଭିଡିଓକୁ ୟୁଟ୍ୟୁବ୍ ବା ଅନ୍ୟ ସୋସିଆଲ ମିଡିଆରେ ଅପଲୋଡ୍ କରି ମାତ୍ର କିଛି ମୁହୂର୍ତ୍ତ ଭିତରେ କୋଟି କୋଟି ଦର୍ଶକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି। କିନ୍ତୁ ସେତେବେଳେ ଏହାଥିଲା ଏକ ଦିବାସ୍ୱପ୍ୱ। ଏଭଳି ଏକ ସ୍ଥିତିରେ ଭିଡିଓ ଅପଲୋଡ୍ କରି ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ସେମାନଙ୍କ ସହିତ ୱେବସାଇଟର ଲିଙ୍କ୍ ସେୟାର କରିବା, ନିଶ୍ଚିତ ରୂପେ ଏକ ଦୂରଦର୍ଶୀ ପଦକ୍ଷେପ। ପରବର୍ତ୍ତୀ ବର୍ଷଗୁଡ଼ିକରେ ବିଦେଶରେ ଅନୁଷ୍ଠିତ ରଥଯାତ୍ରା ସମ୍ପର୍କିତ ଖବର ଧୀରେ ଧୀରେ ଈଟିଭି ଡେସ୍କରେ ପହଞ୍ଚିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା। ପ୍ରାୟ ସାତ ବର୍ଷ ଧରି ଏହି କାର୍ଯ୍ୟକ୍ରମର ପରିବର୍ଦ୍ଧିତ ରୂପ ପରିବେଷଣ କରୁଥିଲା ଈଟିଭି। ଏଥିରେ ପ୍ରତିବର୍ଷ ସାମିଲ ହେଉଥିଲା କିଛି ନୂଆ ଦେଶର ଚିତ୍ର।

 (ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #Culture #Festival #BideshreJagannath #DrFakirMohanNahak #Television #ETvOdia #Reporting

Comment