ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଚାଲିବ ୨୪ ଦିନିଆ କାର୍ଯ୍ୟ ଦିବସ। ଶନିବାର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଚଳିତ ବିଧାନସଭା ମୌସୁମୀ ଅଧିବେଶନକୁ ଅଧିକ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଏବେ ୫ ଘଣ୍ଟା ପରିବର୍ତ୍ତେ ୬ ଘଣ୍ଟା ଗୃହ କାର୍ଯ୍ୟ ଚାଲିବ। ଲମ୍ବା ସମୟର ବଜେଟ ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟ ଦିବସ। ଅର୍ଥମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ପରେ ବର୍ଷ କର ଆୟବ୍ୟୟର ସ୍ପଷ୍ଟ ଚିତ୍ର ହେବ।

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଗୃହକାର୍ଯ୍ୟ ଚାଲିଛ। ଚଳିତ ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ବିଧାୟକ ଭିସିରେ ସାମିଲ ହୋଇଛନ୍ତି। ଗୃହ ଆରମ୍ଭରୁ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀ ଦଳ ଉପନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗୃହ କାର୍ଯ୍ୟ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହେବ। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ଗୃହ କାର୍ଯ୍ୟ ପରିଚାଳନା କରୁଛନ୍ତି। ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ, ବିଧାନସଭା କର୍ମଚାରୀ ଏବଂ ଅନ୍ୟମାନଙ୍କର କୋଭିଡ ପରୀକ୍ଷା କରାଯାଇଛି।

Tags: #Politics #Assembly #OdishaAssembly #MonsoonSession

Comment