ଓଡ଼ିଶାଲାଇଭ୍ ବ୍ୟୁରୋ

ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନି ରଥ। ରଥାରୁଢ଼ ମହାବାହୁ ଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ଦର୍ଶନ ଦେଉଛନ୍ତି। ଶନିବାର ଦିନ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ।

ଗୋଟିଏ ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଠାକୁର। ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର ଲୀଳାଖେଳା କରିବେ। ଶୁକ୍ରବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୁଇ ବର୍ଷ ପରେ ରଥଟାଣିବାକୁ ଭକ୍ତଙ୍କୁ ସୁଯୋଗ ମିଳିଥିଲା। ବଡ଼ଦାଣ୍ଡରୁ ଭକ୍ତମାନେ ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା ଏବଂ ସଙ୍ଖ ନାଦରେ ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରୁ ରଥ ଟାଣି ଟାଣି ନେଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚାଇଥିଲେ।

ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରଥାରୁଢ଼ ଥିବାରୁ ତିନିଦିଅଁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। କିନ୍ତୁ ତିନିଠାକୁରଙ୍କୁ ଛୁଇଁବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଉ ନାହିଁ। ସନ୍ଧ୍ୟା ଧୂପ ନୀତି ପରେ ଆଡ଼ପ ମଣ୍ଡପ ଯିବେ ଚତୁର୍ଦ୍ଧା ମୂର୍ତ୍ତି।

Tags: #Festival #Culture #RathYatra #ShreeGundicha #AdapaMandapBije

Comment