ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଶନିବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ପରଦିନ ବାରିପଦାଠାରେ ଏହି ପରାମ୍ପରା ପାଳନ କରାଯାଏ। ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହୋଇଛନ୍ତି ଭକ୍ତ। କୋଭିଡ କଟକଣା ପାଳନ ପୂର୍ବକ ଏଠାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି।

ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା। ହରିବୋଲ, ହୁଳହୁଳି, ଘଣ୍ଟ ଘଣ୍ଟି ଏବଂ ଶଙ୍ଖନାଦରେ ପ୍ରକମ୍ପିତ ହୋଇଉଠିଛି ସମ୍ପୃକ୍ତ ଅଞ୍ଚଳ। ଭାବ ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ରଥକୁ ଟାଣି ଟାଣି ନେଇଥିଲେ ଭକ୍ତ।

ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳମାନେ ହିଁ ଟାଣିଥିଲେ। ଦୁଇଦିନ ଧରି ଏଠାରେ ରଥ ଟଣା କାର୍ଯ୍ୟ ହୋଇଥାଏ। ରଥାରୁଢ଼ ଠାକୁରଙ୍କ ଦର୍ଶନ ପାଇଁ ବାରିପଦା ରଥ ପଡ଼ିଆରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଅଧାବାଟ ଯାଏଁ ନେଇଯାଇଥିଲେ ମହିଳା ଭକ୍ତ। ଆସନ୍ତାକାଲି ପୁଣି ମା’ ସୁଭଦ୍ରାଙ୍କ ରଥ ଟଣା କାର୍ଯ୍ୟ ହେବ। ପରେ ଜଗନ୍ନାଥଙ୍କ ରଥ ଟାଣିବେ ଭକ୍ତ।

ସେପଟେ କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା। ପରମ୍ପରା ଅନୁଯାୟୀ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମ ତାଳଧ୍ୱଜ ରଥ ଅଟକିଛି। ଆଜି ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ।

Tags: #Festival #Culture #ShreeGundichaYatra #BaripadaAndKendraparaRathYatra

LEAVE A REPLY

Please enter your comment!
Please enter your name here