ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ଅଣାଦେଖା କଲେ ରାଜ୍ୟ ସରକାର। ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଏବଂ ମେୟରଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ।

ଭୁବନେଶ୍ଵର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପାଳନ ହେଉଛି ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ। ମହୋତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା, ଦୁଇ ବିଧାୟକ ଏବଂ ଭୁବନେଶ୍ଵର ମେୟରଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ନିମନ୍ତ୍ରଣ ପତ୍ରରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କର ନାଁ ନାହିଁ। ଏପରିକି ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇ ନାହଁ। କାର୍ଯ୍ୟକ୍ରମ ସମ୍ପର୍କରେ ଅପରାଜିତା ଷଡ଼ଙ୍ଗିଙ୍କୁ ସୂଚନା ମଧ୍ୟ ଦିଆଯାଇ ନାହିଁ।

ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗି। ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସରକାରୀ କାର୍ଯକ୍ରମରେ ଯୋଗ ଦେବାରୁ ବଞ୍ଚିତ ରଖାଯାଉଛି ବୋଲି ସାଂସଦ। ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି, ନା ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଜଣେ ସାଂସଦଙ୍କ ପ୍ରତି ଏଭଳି ବ୍ୟବହାର ସରକାରଙ୍କ ଅହଙ୍କାରକୁ ପଦାରେ ପକାଇଛି ବୋଲି ଅପରାଜିତା ଷଡ଼ଙ୍ଗି କ୍ଷୋଭର ସହ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ଵର ପ୍ରତିଷ୍ଠା ଦିବସ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇନଥିଲା ଅପରାଜିତା ଷଡ଼ଙ୍ଗିଙ୍କୁ। ନିମନ୍ତ୍ରଣ ପତ୍ରରେ ବହୁ ମନ୍ତ୍ରୀ ଏବଂ ବିଧାୟକଙ୍କ ନାଁ ରହିଥିବାବେଳେ ଅପରାଜିତା ଷଡ଼ଙ୍ଗିଙ୍କୁ ବାଦ ଦିଆଯାଇଥିଲା। ଏହାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏହାର କାରଣ ପଚାରିଥିଲେ। ଟୁଇଟ କରି କାହିଁକି ତାଙ୍କୁ ଡକାଗଲା ନାହିଁ ଏବଂ ତାଙ୍କ ଭୁଲ କ’ଣ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।

ରାଜନୈତିକ ଆକ୍ରୋଶ ରଖି ସ୍ଥାନୀୟ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉ ନାହିଁ ବୋଲି ବିଜେପି କର୍ପୋରେଟର ଅଭିଯୋଗ କରିଛନ୍ତି। ଆଜି ବିଜେପି କର୍ପୋରେଟର କଳା ବ୍ୟାଚ ପିନ୍ଧି ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ବନ ମହୋତ୍ସବ ଆୟୋଜିତ ହେଉଥିବା ସ୍ଥାକୁ ଯାଇ ଧାରଣରେ ବସିଥିଲେ।

Tags: #Politics #OdishaPolitics #BanaMahostav #AparajitaSarangi

Comment