ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ସକାଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଉଚ୍ଚ ସଦନ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଉପରକୁ କୌଣସି ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା।

ଆଜି ସକାଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ସୁରକ୍ଷା ବଳୟକୁ ଭେଦ କରି କୌଣସି ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସିଞ୍ଜୋଙ୍କ ପିଠିରେ ବାଜିଥିଲା। ଅଧିକ ରକ୍ତସ୍ରାବ ଯୋଗୁଁ ଘାଟଣାସ୍ଥଳରେ ବେହୋସ ହୋଇ ଟଳି ପଡ଼ଇଥିଲେ ସିଞ୍ଜୋ। ତୁରନ୍ତ ହେଲିକପ୍ଟର ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନା ନେବା ବାଟରେ ସିଞ୍ଜୋ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି।

ଡାକ୍ତରଖାନାରେ ୪ ଘଣ୍ଟା ଧରି ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କ ଉପରକୁ ଗୁଳି ଚଳାଇଥିବା ୪୨ ବର୍ଷିୟ ଯୁବକକୁ ସୁରକ୍ଷା କର୍ମୀମାନେ କାବୁ କରିବା ପରେ ତାକୁ ଗିରଫ କରାଯାଇଛି। ତେବେ କେଉଁ ଉଦ୍ଦେଶ୍ୟରେ ସେ ସିଞ୍ଜୋଙ୍କ ଉପରକୁ ଗୁଳି ଚଳାଇଛି ତାହା ଜଣାପଡ଼ିନାହିଁ।

Tags: #Politics #JapanPolitics #FormerCMDies #SinjoAbe #GunShot #Death

Comment