ଓଡ଼ିଶାଲାଇଭ୍ ବ୍ୟୁରୋ

ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଦ୍ରୌପଦୀ ମୁର୍ମୁ ବିଧାନସଭାରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚିବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭା ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଂସଦ ଓ ବିଧାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ଦ୍ରୌପଦୀ ମୁର୍ମୁ। ଏହା ପରେ ବିଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ବିଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କ ସହ ୩୦ ମିନିଟ ଧରି ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିଥିଲେ। ଏହା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ଚେଷ୍ଟା କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ଵରରେ ପହଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗି, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମନ୍ତ୍ରୀ ଉଷା ଦେବୀ, ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଦ୍ରୌପଦୀ ମୁର୍ମୁଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।

ସମୟ ନିର୍ଘଣ୍ଟର ଏକ ଘଣ୍ଟା ବିଳମ୍ବରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵର ପହଞ୍ଚିଥିଲେ। ଆଜି ଦିନ ୧୦ଟାରେ ସେ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯକ୍ରମ ରହିଥିଲା। ସେ ବିଳମ୍ବରେ ପହଞ୍ଚିଥିବାରୁ ଅନ୍ୟ କାର୍ଯ୍ୟକ୍ରମ ସବୁ ଏକ ଘଣ୍ଟା ବିଳମ୍ବରେ ହେଉଥିବା ଜଣାପଡ଼ିଛି।

Tags: #Politics #OdishaPolitics #PresidentElection #PresidentCandidate #DraupadiMurmu #CMNaveenPatnaik

Comment