ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀଜଗନ୍ନାଥଙ୍କର ଏକାଦଶତମ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି। ପ୍ରତ୍ୟୁଷରୁ ମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ସକାଳ ଧୂପ ଆଦି ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ଠାକୁରଙ୍କ ରୀତି ସମ୍ପନ୍ନ ହେବାପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା।

ସକାଳ ୧୦ଟାରେ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରି ୪ ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦଙ୍ଗ ନାଦରେ ପ୍ରକମ୍ପିତ ହୋଇଉଠିଥିଲା। ଅଷ୍ଟ୍ରେଲିଆ ହିନ୍ଦୁ ପରିଷଦର ସଭାପତି ପ୍ରକାଶ ମେହେଟ୍ଟା ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଦିନ ୧୧ଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା।

ଫ୍ଲୋରିର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତଙ୍କ ଗହଣରେ ଗଡ଼ିଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୨କି.ମି. ପର୍ଯ୍ୟନ୍ତ ଟାଣି ନିଆଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ରଥଯାତ୍ରା ପାଇଁ ଫ୍ଲୋରି ଇଲାକାର ୮୧ନମ୍ବର ୟରାଟ୍‍ କ୍ଲିଫ୍ କ୍ରିସେଣ୍ଟଠାରେ ଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତି କେନ୍ଦ୍ରକୁ ଓ ଆକର୍ଷଣୀୟ ଢଙ୍ଗରେ ସଜ୍ଜା ଯାଇଥିଲା। ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହୋଇଥିଲେ ପ୍ରାୟ ୩୦୦ ଶ୍ରଦ୍ଧାଳୁ। ଘଣ୍ଟା ଘଣ୍ଟି, ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠଥିବା ସମ୍ପୃକ୍ତ ଅଞ୍ଚଳ। ରଥଯାତ୍ରାରେ କାନବେରା ଅଧିବାସୀଙ୍କ ସହ ସିଡ୍‍ନୀ, ବ୍ରିସବେନ ଏବଂ ମେଲ୍‍ବର୍ଣ୍ଣରୁ ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସାମିଲ ହୋଇଥିଲେ।

ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଅଷ୍ଟ୍ରେଲିଆନ୍‍ କ୍ୟାପିଟାଲ୍‍ ଟେରିଟୋରୀ (ଏ.ସି.ଟି) କାନବେରାର ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡରୁ ବାର୍‍ଙ୍କ ପ୍ରତିନିଧି ଦୀପକ ରାଜଗୁପ୍ତା, ଭାରତୀୟ ଦୂତାବାସର ଉପାୟୁକ୍ତ ସୁନୀତ ମେହେଟ୍ଟା, ଉଦ୍ୟୋଗପତି ଶୀକାନ୍ତ ତ୍ରିପାଠୀ, ଆଦିତ୍ୟ ଝୁନ୍‍ଝୁନ୍‍ୱାଲା, ରିଓଜର ଦୁଇ ପୂର୍ବତନ ସଭାପତି ରାଜେନ୍ଦ୍ର ପାଢ଼ୀ ଏବଂ ସୁଜିତ ଜେନା ତଥା ବର୍ତ୍ତମାନର ସଂଯୁକ୍ତ କୋଷାଧ୍ୟକ୍ଷ ମମତାଜ ଲେଙ୍କା ପ୍ରମୁଖ।

ରଥଯାତ୍ରା ଏବଂ ଏହି ଅବସରରେ ଆୟୋଜିତ ଶାନ୍ତି ଯାତ୍ରାର ମୂଳ ଲକ୍ଷ୍ୟ ସମଗ୍ର ମାନବ ସମାଜକୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଆସ୍ଥା ଏବଂ ଲିଙ୍ଗ ନିର୍ବିଶେଷରେ ଏକତା ସୂତ୍ରରେ ବାନ୍ଧି ରଖିବା ଥିଲା ବୋଲି ସଂଗଠକମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ନନ୍ଦିନୀ ମେଡିସିଙ୍କ ଦ୍ୱାରା ମଞ୍ଚସ୍ଥ ଓଡ଼ିଶୀ ନୃତ୍ୟ ଏବଂ କାନବେରା କୀର୍ତ୍ତନ ମଣ୍ଡଳୀ ଦ୍ୱାରା ପରିବେଶିତ ସୁମଧୂର ହରିନାମ ସଂକୀର୍ତ୍ତନ।

ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ପ୍ରକାଶ ମେହେଟ୍ଟା, ସମ୍ପାଦକ ତରୁଣ ଅଗସ୍ତି, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡକ୍ଟର ନଳିନୀ ପତି ଏବଂ ସନ୍ତୋଷ ଗୁପ୍ତା କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ଅଷ୍ଟ୍ରେଲିଆ ମୁଖ୍ୟ ଓଡ଼ିଆ ସଂଗଠନ ଓ ରିଓଜ, ହିନ୍ଦୁ ପରିଷଦ, ଏ.ସି.ଟି କାନବେରାର ହିନ୍ଦୁ ସମ୍ପ୍ରଦାୟ ଏବଂ ସ୍ଥାନୀୟ ଓଡ଼ିଆ ବାସୀନ୍ଦାଙ୍କର ଭୂମିକା ଉଲ୍ଲେଖନୀୟ ରହିଥିଲା।

ରଥଯାତ୍ରା ଉପଲକ୍ଷେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‍ବାନିଜି, ଏ.ସି.ଟି କାନବେରାର ମୁଖ୍ୟମନ୍ତ୍ରୀ ଆଣ୍ଡରୁ ବାର୍‍, ସିନେଟର କାଥେରାଇନ ରଥ ଗାଲାଗାର ଓ ବିଧାୟକ ପାଟ୍ରିକ କେନ୍‍ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

Tags:  #Culture #OdishaCulture #RathYatra #AustraliaRathYatra

Comment