ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡୁଛନ୍ତି ବଡ଼ଠାକୁର। ନବଦିନାତ୍ମକ ଯାତ୍ରା ପରେ ମାଉସୀ ମା’ଙ୍କ ଘରୁ ଫେରୁଛନ୍ତି କାଳିଆ ସାଆନ୍ତ। ସାଙ୍ଗରେ ଅଛନ୍ତି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ।

ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଉଠୁଛି ପଡ଼ୁଛି ଶରଧାବାଲି। ଶନିବାର ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର।

ରୀତିନୀତି ସହକାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଧାଡ଼ି ପହଣ୍ଡିରେ ବଡ଼ ଠାକୁରଙ୍କୁ ରଥରେ ବିଜେ କରାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ନୀତି ସମ୍ପର୍ଣ୍ଣ ହେବା ପରେ ଗଜପତି ମହାରାଜା ସୁନାଖଡ଼ିକାରେ ଛେରା ପହଁରା କରିଥିଲେ। ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ରଥ।

ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି। ବର୍ଷା ସତ୍ୱେ ରଥଟାଣିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇଛନ୍ତି। ଭକ୍ତିମୟ ପରିବେଶରେ ରଥ ଦଉଡ଼ିକୁ ଟାଣିଟାଣି ଶ୍ରୀମନ୍ଦିର ଅଭିମୁଖେ ତିନି ରଥଙ୍କୁ ଟାଣିନେଉଛନ୍ତି ଭକ୍ତ। ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟି, ମୃଦଙ୍ଗ ଏବଂ ଶଙ୍ଖନାଦରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର।

ଶରଧାବାଲିରୁ ପ୍ରଥମେ ତାଳଧ୍ଵଜ ରଥ ଗଡ଼ିବା ପରେ ଗଡ଼ିଛି ମା’ ସୁଭଦ୍ରାଙ୍କ ଦେବଦଳନ ରଥ। ଶେଷରେ ଯାଉଛନ୍ତି କାଳିଆ ସାଆନ୍ତ। ସୁରକ୍ଷିତ ଏବଂ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ନିମନ୍ତେ ପୋଲିସ୍, ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିବା ଭକ୍ତମାନଙ୍କୁ କୋଭିଡ ନିୟମ ପାଳନ କରିବା ସହ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି।

Tags: #RathYatra #Festival #BahudaYatra #ShreeKhetra #Puri

Comment