ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜୁରାଟର ଅଡାଲଜଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ରୂପ ନେଇଥିବା ମୁଖ୍ୟ ମନ୍ଦିରର ତଳତାଲା ସ୍ଥିତ କମ୍ୟୁନିଟି ହଲରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟା ୬ଟା ବେଳେ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଆରମ୍ଭ ହୋଇଥିଲା।

ପୂଜକ ଓ ଭକ୍ତଗଣ ରୋଷଣୀ କରି ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମାଉସୀ ମା’ ମନ୍ଦିରରୁ ଉପରତାଲାର ବାଇଶି ପାହାଚ ପରେ ନିର୍ମିତ ସ୍ଵତନ୍ତ୍ର ମଞ୍ଚକୁ ନେଇଥିଲେ। ଏହା ପରେ ମହାପ୍ରଭୁଙ୍କର ସାମ୍ନାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ କଲଚରାଲ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଜେସିଏ ଆର୍‌ସି) ତରଫରୁ ପ୍ରଯୋଜନା କରାଯାଇଥିବା ନାଟକ ‘ଫେରିଯାଅ ମହାବାହୁ’ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ଜଗନ୍ନାଥଙ୍କର କାହାଣୀ ଓ ଲୀଳା ଉପରେ ଆଧାରିତ ଏକ ଘଣ୍ଟାର ଏହି ନାକଟବ ଜୀବନ୍ତ ଓ ମର୍ମସ୍ପର୍ଶୀ ହୋଇପାରିଥିଲା। ନାଟକଟିକୁ ଦେଖି  ଦର୍ଶକ ଭାବବିହ୍ୱଳ ହୋଇପଡ଼ିଥିଲେ।

ଓଡ଼ିଶା ସୋସିଓ କଲଚରାଲ ଆସୋସିଏନର ସଭାପତି ହରେକୃଷ୍ଣ ଦାଶଙ୍କ ନିର୍ଦ୍ଦେଶନାରେ ଏହି ନାଟକ ପରିବେଶିତ ହୋଇଥିଲା। ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ମଧ୍ୟରେ ଗଜପତି ଭାବରେ ଡକ୍ଟର ସୁଦୀପ କୁମାର ନନ୍ଦ, ଶ୍ରୀ ଜଗନ୍ନାଥଙ୍କ ଭୂମିକାରେ ବଦ୍ରି ମହାପାତ୍ର ଏବଂ ମହାଲକ୍ଷ୍ମୀଙ୍କ ରୂପରେ ଉଷାରାଣୀ ତ୍ରିପାଠୀଙ୍କ ଅଭିନୟ ବେଶ୍ ଉଚ୍ଚକୋଟୀର ଥିଲା। ମା’ ଲକ୍ଷ୍ମୀଙ୍କ ଟିମରେ ସେବିକା ଭାବରେ ଭୁବନେଶ୍ଵରୀ ପଣ୍ଡା, ନିବେଦିତା ସାହୁ, ଲୀଳା ଦାସ, ତୃପ୍ତି ମହାପାତ୍ର, ସୁପ୍ରଭା ମିଶ୍ର, ସନ୍ଧ୍ୟା ପଣ୍ଡା, ସୁଚରିତା ତ୍ରିପାଠୀ, ମନୋରମା ମିଶ୍ର ଏବଂ ମିତା ଦାସ ପ୍ରମୁଖ ସ୍ଥାନ ପାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ଟିମରେ ବଡ଼ପଣ୍ଡା ଭାବରେ ରବି ରଞ୍ଜନ ପଣ୍ଡା, ସାରଥୀ ରୂପରେ ବସନ୍ତ ପଣ୍ଡା, ଦିବ୍ୟଲୋଚନ ଭୂମିକାରେ ମହେଶ୍ୱର ସାହୁ,ଦଇତାପତି ଭାବରେ ନାରାୟଣ ସ୍ଵାଇଁ, ମହନ୍ତ ରୂପରେ ଗଣେଶ ସାବତ, ଚୁଡ଼ାମଣି ଭାବରେ ହରେକୃଷ୍ଣ ଦାଶ ଏବଂ ପ୍ରତିହାରୀ ଭୂମିକାରେ ଅଶୋକ ସାମଲ ପ୍ରମୁଖ ଅଭିନୟ କରିଥିଲେ। 

ସନ୍ଧ୍ୟା ୮ଟା ସମୟରେ ବାଦ୍ୟ ଯନ୍ତ୍ର ଓ କୀର୍ତ୍ତନର ତାଳେ ତାଳେ ଠାକୁରମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ମୁଖ୍ୟ ମନ୍ଦିରର ରତ୍ନ ସିଂହାସନ ଉପରକୁ ନିଆଯାଇଥିଲା। ସେଠାରେ ଆରତୀ ଶେଷ ହେବା ପରେ ଗୁଜୁରାଟର ବିଶିଷ୍ଟ କଳାକାରମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ବଡ଼ଠାକୁର ୯ଦିନ ମାଉସୀ ମା’ ମନ୍ଦିରରେ ଥିବା ସମୟରେ ଆଡ଼ପ ମଣ୍ଡପ ସମ୍ମୁଖରେ ପ୍ରତ୍ୟହ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା।

ବୋର୍ଡର ଅଧ୍ୟକ୍ଷ ଡକ୍ତର ସୁଦୀପ କୁମାର ନନ୍ଦ, ସଦସ୍ୟ ସଚିବ ବଦ୍ରି ମହାପାତ୍ର, ବରିଷ୍ଠ ସଦସ୍ୟ ହରେକୃଷ୍ଣ ଦାଶ, ମହେଶ୍ୱର ସାହୁ, ଡକ୍ଟର ନିବେଦିତା ସାହୁ, ଲୀଳା ଦାସ, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ଵାଇଁ, ଅଜୟ ଦାଶ, ମହେନ୍ଦ୍ର ଦାସ, ରୋହିତ ନାୟକ, ନିଗମାନନ୍ଦ ଦାସ, ବସନ୍ତ ପଣ୍ଡା ଓ ଗଣେଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #RathYatra #OdishaCulture #BahudaYatra #Gujrat

Comment