ଓଡ଼ିଶାଲାଇଭ୍ ବ୍ୟୁରୋ

ରସଗୋଲା ହେଉଛି ମିଠାମାନଙ୍କ ଭିତରେ ରାଜା। ୨୦୧୫ ମସିହାରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଅଛି। ତେବେ ଏହି ଦିନଟି କାହିଁକି ଏବଂ କିଭଳି ଭାବେ ଆରମ୍ଭ ହୋଇଥିଲା, ଆସନ୍ତୁ ଜାଣିବା।

ରସଗୋଲା ଦିବସର ଉତ୍ପତି

୨୦୧୫ ମସିହାରେ ଓଡ଼ିଶା ସରକାର ପାହାଳ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରିବାରୁ, ପଡ଼ୋଶୀ ପଶ୍ଚିମବଙ୍ଗ ଏହାକୁ ବିରୋଧ କରିଥିଲା। ରସଗୋଲା ଓଡ଼ିଶାର ନୁହେଁ ବୋଲି ପ୍ରତିବାଦ କରିଥିଲା ପଶ୍ଚିମବଙ୍ଗ। ସେଇଠୁ ସୃଷ୍ଟି ହେଲା ରସଗୋଲା ଦିବସ। ୨୦୧୫ ମସିହା ନବକଳେବର ବର୍ଷର ନୀଳାଦ୍ରି ବିଜେ ଦିନଟିକୁ ପ୍ରଥମକରି ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ କରାଗଲା।

ରସଗୋଲା ଓଡ଼ିଶାର

ରସଗୋଲାର ଉତ୍ପତି କେଉଁଠୁ, ଓଡ଼ିଶାରୁ ନା ପଶ୍ଚିମବଙ୍ଗରୁ? ୨୦୧୫ ମସିହାରୁ ଏହି ବିବାଦ ଚାଲିଆସିଥିଲା। ହେଲେ ୨୦୧୭ ମସିହାରେ ପଶ୍ଚିମବଙ୍ଗର ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଏହା ଆହୁରି ଘନେଇ ଥିଲା। ପଶ୍ଚିମବଙ୍ଗ କହିବା ଅନୁଯାୟୀ, ୧୮୬୮ ମସିହାରେ ପଶ୍ଚିମବଙ୍ଗରେ ପ୍ରଥମେ ରସଗୋଲା ତିଆରି ହୋଇଥିଲା। ମାନେ ଦେଢ଼ ଶହ ପୂର୍ବେ ପଶ୍ଚିମବଙ୍ଗରେ ରସଗୋଲା ତିଆରି ହୋଇଥିଲା। ହେଲେ ରସଗୋଲା ପାରମ୍ପରିକ ଭାବେ ଓଡ଼ିଶାର, ଏହା ବଡ଼ ପ୍ରମାଣ ହେଉଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ନୀଳାଦ୍ରି ବିଜେ ହେଉଛି ଶ୍ରୀଜୀଉଙ୍କ ରଥଯାତ୍ରାର ଅନ୍ତିମ ଦିନ। ନଅ ଦିନର ଯାତ୍ରା ପରେ ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ରତ୍ନ ସିଂହାସନକୁ ଫେରିଥାନ୍ତି। ଏହି ଦିନ ମହାପ୍ରଭୁ ରସଗୋଲା ଦେଇ ଅଭିମାନ କରିଥିବା ଦେବୀ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି। ଏହା ହେଉଛି ଦୀର୍ଘ ୭୦୦ ବର୍ଷର ଓଡ଼ିଆ ପରମ୍ପରା। ତେଣୁ ପଶ୍ଚିମବଙ୍ଗର ବହୁ ପୂର୍ବରୁ ଓଡ଼ିଶାରେ ରସଗୋଲାର ଉତ୍ପତି ହୋଇଥିଲା।
ପଞ୍ଚଦଶ ଶତାବ୍ଦୀ ଶେଷ ଏବଂ ଷୋଡ଼ଶ ଶତାବ୍ଦୀ ଆରମ୍ଭରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲା ବିଷୟରେ ଉଲ୍ଲେଖ ହୋଇଛି।

ରସଗୋଲାର ପ୍ରକାର ଭେଦ

ବାଂଲା ରସଗୋଲା ଏବଂ ଓଡ଼ିଶା ରସଗୋଲା ଏକା ନୁହେଁ, ସମ୍ପୂର୍ଣ୍ଣ ଭାବେ ଅଲଗା। ପଶ୍ଚିମବଙ୍ଗର ସ୍ପଞ୍ଜ ରସଗୋଲା ହୋଇଥିବା ବେଳେ ଓଡ଼ିଶାର ରସଗୋଲା ହେଉଛି ନରମ। ବିଶିଷ୍ଟ ଓଡ଼ିଆ ନାଟ୍ୟକାର ଗୋପଳ ଛୋଟରାୟ ତାଙ୍କ ଆତ୍ମଜୀବନୀ ‘ପଥିକ’ରେ କହିଛନ୍ତି, “ଆମ ରସଗୋଲା ପୁଚ୍‌ପୁଚ୍‌, ତାଙ୍କ ରସଗୋଲା ଖରଖର।”

ସୋସିଆଲ ମିଡିଆରେ ରସଗୋଲା ଦିବସ

୨୦୧୫ରେ ରସଗୋଲାକୁ ନେଇ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ଏକ ମିଠା ଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିସହ ସୋମିଆଲ ମିଡିଆରେ ଓଡ଼ିଶା ରସଗୋଲାକୁ ନେଇ କ୍ୟାମ୍ପେନ୍‌ ସୃଷ୍ଟି ହୋଇଥିଲା। ଏହି କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ ଅନିତା ସାବତ। କ୍ୟାମ୍ପେନ୍‌ ଜରିଆରେ ୨୦୧୫ ନବକଳେବର ବର୍ଷ ନୀଳାଦ୍ରି ବିଜେରେ ପ୍ରଥମ ଥର ପାଇଁ ରସଗୋଲା ଦିବସ ପାଳନ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ନୀଳାଦ୍ରି ବିଜେ ଦିନ ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି।

Tags: #Sweet #RasagolaDivas #Rasagola #NiladriBije

Comment