ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଲହୁଣୀପଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସୋମବାର ଦିନ ସେ ଲହୁଣୀପଡ଼ା ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ବିଷୟରେ ହିତାଧିକାରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ସିଧାସଳଖ ଭେଟି ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଆର୍ଥିକ ସହାୟତା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଛି। ଲହୁଣୀପଡ଼ା ବ୍ଲକରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପସ୍ଥଳକୁ ଯାଇ ଏହାର ଅଗ୍ରଗତି ବୁଲି ଦେଖିଥିଲେ।

ଲହୁଣୀପଡ଼ା, ଗୁରୁଣ୍ଡିଆ ଏବଂ କୋଇଡ଼ା ବ୍ଲକର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବା ଲାଗି ଲହୁଣୀପଡ଼ା ବ୍ଲକର ଲଲେଇଠାରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହି ପ୍ଲାଣ୍ଟ ବୁଲି ଦେଖିଥିଲେ। ନଦୀରୁ ଉଠାଯାଉଥିବା ପାଣିକୁ ବିଶୋଧନ କରାଯାଇ କିପରି ଲୋକଙ୍କ ଘର ପାଖରେ ପହଞ୍ଚା ଯାଉଛି ତାହା ଦେଖିଥିଲେ।

ଲହୁଣୀପଡ଼ା ଗସ୍ତ ଅବସରରେ ଜିଲ୍ଲାପାଳ ପାଉଡ଼ି ଭୂୟାଁ ଅଞ୍ଚଳକୁ ଯାଇଥିଲେ। ସ୍ଥାନୀୟ ରଞ୍ଜ ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦେଖିବା ସହ ସେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପାଠପଢ଼ା ବିଷୟରେ କଥା ହୋଇଥିଲେ।

ସେହିପରି ସ୍ଥାନୀୟ ଲୋକମାନଙ୍କ ସୁବିଧା ପାଇଁ ପାଉଡ଼ି ଭୂୟା ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିବା ସୂଚନା କେନ୍ଦ୍ର ସହିତ ରାସ୍ତା ଓ କଲଭଟ୍ ଆଦି ଦେଖିଥିଲେ। ଏହାସହ ସ୍ଥାନୀୟ ଲୋକମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ବରସୁଆଁ ଖଣି ଅଞ୍ଚଳକୁ ଯାଇ ସେଠାରେ କାର୍ଯ୍ୟରତ ଖଣି ଓ ନିର୍ମାଣ ଶ୍ରମିକଙ୍କୁ ଜିଲ୍ଲାପାଳ ଭେଟିଥିଲେ। ସେମାନଙ୍କ ନିରାପତ୍ତା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସୁରକ୍ଷା କିଟର ବ୍ୟବହାର ବିଷୟରେ କଥା ହୋଇଥିଲେ। ଶ୍ରମଜୀବୀଙ୍କ ସୁରକ୍ଷା ଲାଗି ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ମଧ୍ୟ ସେମାନଙ୍କ ମତାମତ ଲୋଡ଼ିଥିଲେ। ଏହି ସୁରକ୍ଷା କିଟ୍ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ଖଣି ନିଗମ ଅଧୀନରେ ପରିଚାଳିତ କୁରମିତ୍ରପୁର ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।

ଏହି ଅବସରରେ ଜିଲ୍ଲାପାଳ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏହାର ଭିତ୍ତିଭୂମି ବୁଲି ଦେଖିଥିଲେ। ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ୱାର୍ଡ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି କ’ଣ ବ୍ୟବସ୍ଥା ରହିଛି ତାହା ଦେଖିଥିଲେ। ଏହାପରେ ସେ ଲହୁଣୀପଡ଼ା ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରରେ ରହିଥିବା ଅତ୍ୟାଧୁନିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱ ପାଇଁ ମା’ଗୃହ ପ୍ରତିଷ୍ଠା କରାଯାଇଛି। ଲହୁଣୀପଡ଼ା ବ୍ଲକର ପୋଇଗାଁଠାରେ ଥିବା ମା’ଗୃହ ପରିଦର୍ଶନରେ ଯାଇ ଜିଲ୍ଲାପାଳ ସେଠାରେ ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କ ସେବା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। 

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ରୂପାନ୍ତରିତ ଖୁଣ୍ଟଗାଁ ସରକାରୀ ହାଇସ୍କୁଲ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ପାଠାଗାର, କମ୍ପ୍ୟୁଟର ଲ୍ୟାବ ଆଦି ବୁଲି ଦେଖିଥିଲେ।

ସୁନ୍ଦରଗଡ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର। ତେଣୁ ଟସର ଖୋସାରୁ ସୂତା ବାହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁଠାରେ ଏକ ଅତ୍ୟାଧୁନିକ ଟସର ସିଲ୍କ ପାର୍କ ପ୍ରତିଷ୍ଠା କରାଯାଉଛି। ଜିଲ୍ଲାପାଳ ଏହି ଟସର ସିଲକ ପାର୍କର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ।

ଏହି ଗସ୍ତ ବେଳେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଲହୁଣୀପଡ଼ା ତହସିଲଦାର ମୁରଲୀଧର ଉର୍ମାଲ, ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଡିଏମଏଫ ଏବଂ ଓମ୍ବାଡସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Sundargarh #DistrictCollector #LahuniparaVisits

Comment