ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାରି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଶିବସେନା ତରଫରୁ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନିମନ୍ତେ ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ନିଜ ଇଚ୍ଛାନୁସାରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ପକ୍ଷରେ ସେ କହିଛନ୍ତି, “ମୁଁ ଅତ୍ୟନ୍ତ ଖୁସୀ ଯେ, ଜଣେ ଅନୁସୂଚିତ ଜନଜାତିର ମହିଳା ଭାରତର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି”।

କୁହାଯାଉଛି ଉଦ୍ଧବ ଠାକରେଙ୍କର ଏହି ନିଷ୍ପତ୍ତି ମହାବିକାଶ ଅଘାଡି(ଏମଭିଏ) ମେଣ୍ଟକୁ ଝଟକା ଦେଇଛି। ମହାବିକାଶ ଅଘାଡିର ଅନ୍ୟ ଦୁଇ ସହଯୋଗୀ କଂଗ୍ରେସ ଏବଂ ଶରଦ ପାଓ୍ଵାରଙ୍କ ଦଳ ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ୟଶଓ୍ଵନ୍ତ ସିହ୍ନାଙ୍କୁ ସମର୍ଥନ କରୁଛି। କିନ୍ତୁ ବର୍ତ୍ତମାନ ଉଦ୍ଧବ ଠାକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

ସୋମବାର ଦିନ ଶିବସେନାର ଏକ ବୈଠକ ବସିଥିଲା। ଏହି ବୈଠକରେ ୧୯ ଜଣ ସାଂସଦଙ୍କ ମଧ୍ୟରୁ ୧୧ ଜଣ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକ ସାଂସଦ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରିଥିଲେ ଯେ, ସେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନ୍ତି। କିନ୍ତୁ ସଞ୍ଜୟ ରାଉତ କହିଥିଲେ ଶିବସେନା ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ସାଜିଥିବା ୟଶଓ୍ଵନ୍ତ ସିହ୍ନାଙ୍କୁ ସମର୍ଥନ କରିବା ଉଚିତ। ଶେଷର ନିଜର ନିଷ୍ପତ୍ତି ଶୁଣାଇଛନ୍ତି ଉଦ୍ଧବ ଠାକରେ।

Tags: #Politics #IndianPolitics #UddhavThakeray #PresidentialElection #Shivsena #NDAPresidentialCandidate #DraupadiMurmu

Comment