ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ଏବଂ ଅଧିରାଜ ପାଣିଗ୍ରାହୀ ଚାଷ ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସାର କଳାବଜାରୀ ଏବଂ ବିହନ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ରାଜ୍ୟରେ ସାରର ବ୍ୟାପକ କଳାବଜାରୀ ହେଉଛି। ଡିଲରମାନେ ନିଜ ମନଇଚ୍ଛା କାମ କରୁଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅଧିକାରୀ ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହାକୁ ଗୃହରେ କହୁଛନ୍ତି।

ଏହା ସହିତ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଉ ନାହିଁ। ଚାଷୀଙ୍କୁ ଆବଶ୍ୟକ ସାର ସହ ବିହନ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ସେହିପରି ସାରର କଳାବଜାରୀ ହେଉଥିବାରୁ ଅଧିକ ଟଙ୍କା ଦେଇ ସାର କିଣିବାକୁ ଚାଷୀ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଧିରାଜ ପାଣିଗ୍ରାହୀ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖି କହିଛନ୍ତି, କେନ୍ଦ୍ର ସରକାର ଯାହା ଦେଉଛନ୍ତି ସେଥିମଧ୍ୟରୁ ରାଜ୍ୟବାସୀଙ୍କୁ ୮୫ ପ୍ରତିଶତ ସାର ଯୋଗାଇ ଦିଆଯାଇଛି। ୨ ଲକ୍ଷ ୫ ହଜାର ୨୦୦ ମେଟ୍ରିକ ଟନ ୟୁରିଆ, ୭୭ ହଜାର ୬୭୧ ମେଟ୍ରିକ ଟନ ଡିଏପି , ୨୬ ହଜାର ୬୯୮ ମେଟ୍ରିକ ଟନ ପଟାସ୍ , ୯୫ ହଜାର ୬୩୮ ମେଟ୍ରିକ ଟନ ଗ୍ରୁମର ଚାଷୀଙ୍କୁ ଯୋଗାଇ ଦିଆଯାଇଛି। କିନ୍ତୁ ଗତ ୫ ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉନାହାନ୍ତି।

ରାଜ୍ୟର କୌଣସି ସ୍ଥାନରେ ସାର କଳାବଜାରୀ କରାଯାଉଥିବାର ଅଭିଯୋଗ ଥିଲେ ବିଭାଗକୁ ଜଣାଇବା ଲାଗି ମନ୍ତ୍ରୀ ପରାମର୍ଶ ଦେବା ସହ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Tags: #OdishaAssembly #MonsoonSession

Comment